୧୧ଶହରୁ ଊର୍ଦ୍ଧ୍ୱ ଭୋଟର ଥିବା ବୁଥ୍‌ ବିଭାଜନ ନେଇ ଆଲୋଚନା

ନୂଆପଡ଼ା,୮ା୮ (ମକାରୁ ବେମାଲ): ଭାରତର ନିର୍ବାଚନ ଆୟୋଗ ଓ ଓଡ଼ିଶା ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ନୂଆପଡ଼ା ଜିଲାପାଳ ତଥା ନିର୍ବାଚନ ଅଧିକାରୀ ଏବଂ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଜିଲାପାଳ ମଧୁସୂଦନ ଦାଶ ଅଧ୍ୟକ୍ଷତା କରିଥିଲେ। ଅତିରିକ୍ତ ଜିଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ସୁବାସ ଚନ୍ଦ୍ର ରଏତ, ଖଡିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଉପଜିଲାପାଳ ସିର୍ମି ସୁରେନ ପ୍ରମୁଖ ଉପସ୍ଥିତ ଥିଲେ। ରାଜନୈତିକ ଦଳର ପ୍ରତିନିଧିଙ୍କ ମଧ୍ୟରୁ କଂଗ୍ରେସ ଦଳରୁ ଅଭୟ ଶଙ୍କର ଜୋଷୀ, ଭାଜପାରୁ ଶିବପ୍ରସାଦ ରଥ, ବିଜେଡିରୁ ରମାକାନ୍ତ ଠାକୁର, ଆପ୍‌ ଦଳରୁ ଲକ୍ଷ୍ମୀ ତାଣ୍ଡି, ବହୁଜନ ସମାଜ ପାର୍ଟିରୁ ଶୁକଦେବ ଦଣ୍ଡସେନା ପ୍ରମୁଖ ଯୋଗଦେଇଥିଲେ। ଜିଲାର ଯେଉଁ ମତଦାନ କେନ୍ଦ୍ରରେ ଭୋଟର ସଂଖା ୧୧ ଶହରୁ ଊର୍ଦ୍ଧ୍ୱ ଅଛନ୍ତି ତାହାକୁ ବିଭାଜନ କରାଯାଇ ସହାୟକ ନିର୍ବାଚନ ଅଧିକାରୀ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦିଆଯାଇଥିବା ପ୍ରସ୍ତାବ ଅନୁଯାୟୀ ମତଦାନ କେନ୍ଦ୍ରର ଯୁକ୍ତିଯୁକ୍ତକରଣ, ନୂତନ ନାମ ସହ ମତଦାନ କେନ୍ଦ୍ରର ସ୍ଥାନ ପରିବର୍ତ୍ତନ ଉପରେ ଆଲୋଚନା କରାଯାଇଥିଲା। ନୂଆପଡ଼ା ଓ ଖଡ଼ିଆଳ ବିଧାନସଭା ନିର୍ବାଚନମଣ୍ଡଳୀରେ ୩୦୨ ଲେଖାଏ ବୁଥ୍‌ ରହିଛି ା ସେହି ନିର୍ବାଚନ ମଣ୍ଡଳୀରେ ୧୧ ଶହରୁ ଊର୍ଦ୍ଧ୍ୱ ଭୋଟର ଥିବା ବୁଥ୍‌ଗୁଡ଼ିକୁ ବିଭାଜନ କରିବା ପାଇଁ ପ୍ରସ୍ତାବ ଅଣାଯାଇଥିଲା। ଆବଶ୍ୟକତା ଦୃଷ୍ଟିରୁ ନୂଆପଡ଼ା ବ୍ଲକ୍‌ରେ ୨୬, କୋମନାରେ ୩୦, ଖଡ଼ିଆଳରେ ୨୫, ବୋଡେନରେ ୧୧ ଓ ସିନାପାଲି ବ୍ଲକ୍‌ରେ ୨୧ ବୁଥ୍‌ ବଢ଼ାଇବା ପାଇଁ ସର୍ବଦଳୀୟ ବୈଠକର ନିଷ୍ପତ୍ତିକ୍ରମେ ପ୍ରସ୍ତାବ ଆଗତ ହୋଇଛି ା