ଦିଗପହଣ୍ଡି,୧୩।୫(ଅଶେଷ ନାଥ ମିଶ୍ର): ପୂର୍ବତନ ବିଧାୟକ ବିଶ୍ୱନାଥ ସାହୁ ଜନ୍ମ ଶତବାର୍ଷିକୀ କମିଟି ପକ୍ଷରୁ ମଙ୍ଗଳବାର ଦିଗପହଣ୍ଡି ଠାରେ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କୋର୍ଟ କଲୋନୀସ୍ଥିତ ଖେମୁଣ୍ଡି ଚିତ୍ରକଳା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସଭାରେ ଶତବାର୍ଷିକୀ କମିଟି ଆବାହକ କବି ବୃନ୍ଦାବନ ପଣ୍ଡା ଅଧ୍ୟକ୍ଷତା କରିଥିଲେ। ଆସନ୍ତା ଜୁନ ୨୨ ତାରିଖରେ ଦିଗପହଣ୍ଡିସ୍ଥିତ ଶ୍ରୀ ଚନ୍ଦ୍ରଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ‘ପୂର୍ବତନ ବିଧାୟକ ସ୍ବର୍ଗତ ବିଶ୍ୱନାଥ ସାହୁଙ୍କ ଜୀବନାଦର୍ଶ ’ ସମ୍ପର୍କରେ ଆଲୋଚନା ଚକ୍ର ଏବଂ କବିତା ପାଠୋତ୍ସବ କରାଯିବା ସହ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବା ନିମନ୍ତେ ସଭାରେ ବିଧିବଦ୍ଧ ନିଷ୍ପତ୍ତି ଗୃହୀତ କରାଯାଇଥିଲା। ସାମାଜିକ କର୍ମୀ ବିଘ୍ନେଶ୍ୱର ସାହୁ, ବୟୋବୃଦ୍ଧ ଚାଷୀ ନେତା ଶମ୍ଭୁ ପଣ୍ଡା,ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି(ଇସକଫ)ର ଗଞ୍ଜାମ ଜିଲା ସଭାପତି ହରପ୍ରସାଦ ରଥ, ଲୋକସେବା ପରିଷଦର ସମ୍ପାଦକ ତଥା ଆଇନଜୀବି କୁରେଶୁ ପଣ୍ଡା, ଆଇନଜୀବି ଅଶେଷ ନାଥ ମିଶ୍ର,ଗଜାନନ ତ୍ରିପାଠୀ,ସାମାଜିକ କର୍ମୀ ତଥା ଖବରଦାତା ବିନାୟକ ଦାସ ପ୍ରମୁଖ ଯୋଗଦେଇ ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।