ଦିଗପହଣ୍ଡି,୨୫।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍ଏସି କାର୍ଯ୍ୟାଳୟ ସଂଲଗ୍ନ ରାଜମାତା ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଶୁକ୍ରବାର ବିଦ୍ୟାଳୟ ସୁରକ୍ଷା ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ସଭାରେ କୈଳାଶ ଷଡ଼ଙ୍ଗୀ, ତପନ କୁମାର ମିଶ୍ର, ଭି. ସୁଦର୍ଶନ ରାଜୁ, ଏ. ହରି, ଏ. ଗଣେଶ, ବି. ଦୀନବନ୍ଧୁ, ସମ୍ଭବ କୁମାର ତ୍ରିପାଠୀ, ସୁନୀଲ କୁମାର ପଣ୍ଡା, ପି. ଶିବ ଶଙ୍କର, ଏମ. ତ୍ରିନାଥ, କେ. କୁନା, ଦୀପକ କୁମାର ମିଶ୍ର, କୁରେଶୁ ମହାରଣା, ବିଣାରାଣୀ ପାଢ଼ୀ, ଆଶୁତୋଷ ମିଶ୍ର, ନୀଳମାଧବ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଆଇନଜୀବୀ କୁରେଶୁ ପଣ୍ଡା ପ୍ରଥମେ ରାଜମାତା ସ୍କୁଲର ସଂକ୍ଷିପ୍ତ ଇତିହାସ ଆଲୋଚନା କରିଥିଲେ।
୧୯୦୭ ଏପ୍ରିଲ ୭ରେ ସ୍ଥାପିତ ଏହି ବିଦ୍ୟାଳୟର ଭୂ – ସମ୍ପତ୍ତି ରାଜପରିବାରର ବୋଲି ଦର୍ଶାଇ ରାଜପୁତ୍ର ସୁଶାନ୍ତ ଗତ ୨୦୦୬ ରେ ହାଇକୋର୍ଟରେ ଏସ୍ଓ- ୭୨/୦୬ ଅନୁଯାୟୀ ପିଟିଶନ ଦାଖଲ କରିଥିଲେ।୨୦୦୭ ଅଗଷ୍ଟ ୧ରେ ହାଇକୋର୍ଟ ମାମଲାର ଚୂଡାନ୍ତ ଶୁଣାଣି କରି ସୁଶାନ୍ତଙ୍କ ସପକ୍ଷରେ ରାୟ ପ୍ରଦାନ କରିଥିଲେ। ଏହାକୁ ଭିତ୍ତିକରି ବ୍ରହ୍ମପୁର ଦେୱାନୀ ଅଦାଲତ ମାମଲା ନଂ. ଇ ପି – ୫/୨୦୦୮ ଅନୁଯାୟୀ ବିଦ୍ୟାଳୟ କୋଠା ଓ ସମସ୍ତ ଭୂସମ୍ପତ୍ତି କୁ ଦଖଲ ମୁକ୍ତ କରିବା ପାଇଁ ଆଦେଶ ଦେଇଥିଲେ। କୋର୍ଟ ରାୟକୁ ଚ୍ୟାଲେଞ୍ଜ କରି ବିଦ୍ୟାଳୟ ସୁରକ୍ଷା ପରିଷଦ ବ୍ରହ୍ମପୁର ଦେୱାନିି ଅଦାଲତରେ ଆର୍ଏଫ୍ଏ ୪୩/୧୪ ଅନୁଯାୟୀ ଅପିଲ କରିଥିଲା। ଗତ ୧୯୫୩ ଜୁନ ୧ ରେ ଜମିଦାରୀ ଉଚ୍ଛେଦ ପରେ ବିଦ୍ୟାଳୟର ଭୂସମ୍ପତ୍ତି ଖାତା ନଂ.୨୯୫ ଓ ସର୍ଭେ ନଂ.୧୯୪ ସରକାରୀ ରେକର୍ଡ ଭୁକ୍ତ ହୋଇଥିଲା। ଏଥିରେ ଚଞ୍ଚକତା କରି ସୁଶାନ୍ତ ୧୯୮୫ରେ ବିଦ୍ୟାଳୟର ସମସ୍ତ କୋଠା ଓ ଜମିକୁ ନିଜର ସମ୍ପତ୍ତି ବୋଲି ଦାବି କରି ଦେୱାନି ଅଦାଲତରେ ମକଦ୍ଦମା ରୁଜୁ କରି ଡିକ୍ରି ହାସଲ କରିଥିଲେ ବୋଲି ବିଦ୍ୟାଳୟ ସୁରକ୍ଷା ପରିଷଦ ଅଭିଯୋଗ କରିଛି। ବିଦ୍ୟାଳୟ କୋଠା ଉଚ୍ଛେଦ ବିରୋଧରେ ଥିବା ସମସ୍ତ ନଥିପତ୍ର ଯାହାକି ୧୯୪୮ ଏବଂ ୧୯୫୨ ମସିହାର ଜମି ପଟ୍ଟା, ୟାଦସ୍ତ ରିପୋର୍ଟ ତତ୍କାଳୀନ ରାଜା ରାମଚନ୍ଦ୍ର ଦେବ ସ୍କୁଲ ସଭାପତି ଭାବେ ମାଡ୍ରାସ ଶିକ୍ଷା ବିଭାଗକୁ ସ୍କୁଲର ସରକାରୀ ମଞ୍ଜୁରୀ ପାଇଁ ଦରଖାସ୍ତ ସମେତ ତତ୍କାଳୀନ ଜିଲା ଶିକ୍ଷାଧିକାରୀ ସନାତନ ପଣ୍ଡା ଦେଇଥିବା ତଦନ୍ତ ରିପୋର୍ଟ, ୨୦୧୪ ରେ ତତ୍କାଳୀନ ଥାନା ଆଇଆଇସି ସୁରେଶ ତ୍ରିପାଠୀ ଏବଂ ତତ୍କାଳୀନ ତହସିଲଦାର ରଞ୍ଜିତ ପରିଡାଙ୍କ ମିଳିତ ତଦନ୍ତ ରିପୋର୍ଟ ବ୍ରହ୍ମପୁର କୋର୍ଟ ରେ ଦାଖଲ କରାଯାଇଥିଲା। କୋର୍ଟ ଏହାକୁ ଗ୍ରହଣ ନକରି ସ୍କୁଲ କୋଠା ଉଚ୍ଛେଦ ବିରୋଧରେ ମାମଲାକୁ ଖାରଜ କରିଦେଇଛନ୍ତି। କୋର୍ଟଙ୍କ ଏହି ରାୟ ବିରୋଧରେ ଉଚ୍ଚ ଅଦାଲତରେ ଅପିଲ କରାଯିବା ପାଇଁ ସଭାରେ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଏହି ମାମଲାରେ ତତ୍କାଳୀନ ଜିଲାପାଳ ଏବଂ ସ୍ଥାନୀୟ ତହସିଲଦାରଙ୍କୁ ପକ୍ଷ କରାଯାଇ ନ ଥିବାରୁ ଏହି ରାୟର ବୈଧତା ନାହିଁ ବୋଲି ବିଦ୍ୟାଳୟ ସୁରକ୍ଷା ପରିଷଦ ଦର୍ଶାଇଛି। ତେଣୁ ବିଦ୍ୟାଳୟର ଇଞ୍ଚେ ମଧ୍ୟ ଜମି କାହାରି ଦଖଲକୁ ଛଡାଯିବ ନାହିଁ। ବିଦ୍ୟାଳୟର କୋଠା ଓ ଭୂସମ୍ପତ୍ତିର ସୁରକ୍ଷା ପାଇଁ ଆଇନଗତ ଲଢେଇକୁ ତ୍ୱରାନ୍ବିତ କରାଯିବା ନେଇ ସଭାରେ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।