ଫଳକରେ ନାଁ ନ ଥିବାରୁ ତେଜିଲା ଅସନ୍ତୋଷ

କେସିଙ୍ଗା,୨୧ା୧୧ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା କେନ୍ଦ୍ରୀୟ କେନ୍ଦୁପତ୍ର କାର୍ଯ୍ୟାଳୟ ନିକଟରେ ଆଦିବାସୀ କନ୍ଧ ସମାଜ ଭବନକୁ ଶୁକ୍ରବାର ଜିଲାପାଳ ପାୱାର ସଚିନ ପ୍ରକାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଏହାସହ ତିନିକୋଣିଆ ଛକଠାରୁ ଆଦର୍ଶ ବିଦ୍ୟାଳୟକୁ ସଂଯୋଗ କରୁଥିବା ୪୦୦ମିଟର ପିଚୁ ରାସ୍ତା ଓ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିକଟରେ ଥିବା ଋଷି ସାହା ସଂସ୍କୃତ କେନ୍ଦ୍ରକୁ ଜିଲାପାଳ ଉଦ୍‌ଘାଟନ କରିଥିଲେ।

କନ୍ଧ ସମାଜ ଭବନ ବ୍ଲକ୍‌ର ସିଏମ୍‌ଏସ୍‌ଏ ଓ ଆନ୍ୟନ ଫଣ୍ଡରୁ ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯିବ ବୋଲି ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ଘୋଷଣା କରିଥିଲେ। ବିଡିଓ ଓ ଜେଇଙ୍କ ଦ୍ୱାରା କାମ ହେବାକୁ ଥିବାବେଳେ ଫଳକରେ ବ୍ଲକ୍‌ ଅଧ୍ୟକ୍ଷ, ବିଡିଓଙ୍କ ନାମ ଉଲ୍ଲେଖ ନାହିଁ। ସେହିପରି ଜମି ଚିହ୍ନଟ କରିଥିବା ତହସିଲଦାରଙ୍କ ନାମ ମଧ୍ୟ ଉଲ୍ଲେଖ କରାଯାଇ ନାହିଁ। ଏହାକୁ ନେଇ କେସିଙ୍ଗା ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ଫଳକରେ ଜିଲାପାଳ, ପ୍ରଶାସନିକ ସେବା ଅଧିକାରୀ ଅମିମେଶ ପ୍ରଧାନ, ସିଟିଜେନ୍‌ ଫୋରମର ସଭାପତି ଡ. ହେମସାଗର ଶାହା, ଆଦିବାସୀ କନ୍ଧ ସମାଜର ବ୍ଲକ୍‌ ସଭାପତି ଶେଷଦେବ ମାଝୀ, ନଗର ସଭାପତି ସଦା ମାଝୀଙ୍କ ନାମ ଉଲ୍ଲେଖ ଥିବା ଜଣାପଡ଼ିଛି। ଏହି ସଂକ୍ରାନ୍ତରେ ଅନୁଷ୍ଠାନର ସମ୍ପାଦକ ବିକ୍ରମ ମାଝୀଙ୍କୁ ପଚାରିବାରୁ ଜଣେ ବିଶିଷ୍ଟ ବ୍ୟକ୍ତି ବ୍ଲକ ପ୍ରଶାସନିକ ଅଧିକାରୀଙ୍କ ନାମ ଫଳକରେ ଦେବା ପାଇଁ ମନା କରିବାରୁ ଦିଆଗଲା ନାହିଁ ବୋଲି ପ୍ରକାଶ କରିଥିଲେ।

Dharitri – Odisha’s No.1 Odia Daily