ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା: ଥୁଆମୂଳ ରାମପୁର CHCରେ ଅବ୍ୟବସ୍ଥାର ଚିତ୍ର

ଥୁଆମୂଳ ରାମପୁର, ୧୬।୩:(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଅତ୍ୟନ୍ତ ଦୁର୍ଗମ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (CHC) ଏବେ ଅବ୍ୟବସ୍ଥାର ବଳୟରେ। ମେଡିକାଲ ସମ୍ମୁଖର ସୂଚନା ବୋର୍ଡଟି ଛିଣ୍ଡି ଝୁଲୁଥିବା ଦୃଶ୍ୟ ସ୍ବାସ୍ଥ୍ୟ ସେବାର ବିପର୍ଯ୍ୟସ୍ତ ଅବସ୍ଥାକୁ ବୟାନ କରୁଛି। ଅଧିକାରୀଙ୍କ ସଫେଇ ଓ ବାସ୍ତବତା ଏନେଇ CHC ଅଧିକାରୀ ଡାକ୍ତର ପ୍ରଦୋଷ କୁମାର ପଣ୍ଡାଙ୍କୁ ପଚାରିବାରୁ ସେ କହିଛନ୍ତି, ସୂଚନା ବୋର୍ଡ ଝୁଲି ରହିଥିବା କଥା ଆମ ନଜରକୁ ଆସିଛି, ଏହାର ତୁରନ୍ତ ମରାମତି କରାଯିବ।
ତେବେ ଖାଲି ପଡ଼ିଥିବା ପଦବୀ ଓ ଆନୁଷଙ୍ଗିକ ସୁବିଧା ନେଇ ସେ ଦେଇଥିବା ପ୍ରତିକ୍ରିୟା ସ୍ଥାନୀୟ ଲୋକଙ୍କୁ ଚିନ୍ତାରେ ପକାଇଛି।
ଅଧିକାରୀଙ୍କ କହିବା ଅନୁଯାୟୀ:
* ଚତୁର୍ଥ ଶ୍ରେଣୀ କର୍ମଚାରୀ: ଏହି ନିଯୁକ୍ତି ସରକାରୀ ସ୍ତରରେ ନ ହୋଇ ବେସରକାରୀ ସଂସ୍ଥା (Outsourcing) ମାଧ୍ୟମରେ ହେଉଛି, ଯାହା ସେମାନଙ୍କ ନିୟନ୍ତ୍ରଣ ବାହାରେ।
* କ୍ଲର୍କ ଓ କାର୍ଯ୍ୟାଳୟ କାର୍ଯ୍ୟ: ବର୍ତ୍ତମାନ ଜଣେ ଇନଚାର୍ଜଙ୍କ ଦ୍ୱାରା କାମ ଚଳାଉଛି।
* ରେଡିଓଗ୍ରାଫର ସଙ୍କଟ: ରେଡିଓଗ୍ରାଫର ପଦବୀ ଖାଲି ଥିବାରୁ ଜଣେ ଡାକ୍ତର ଇନଚାର୍ଜ ଭାବେ ଏକ୍ସ-ରେ ସେବା ପ୍ରଦାନ କରୁଛନ୍ତି, ଯାହା ସପ୍ତାହକୁ ମାତ୍ର ଥରେ ମିଳୁଛି।
* ସ୍ପେଶାଲିଷ୍ଟଙ୍କ ଅଭାବ: ସ୍ତ୍ରୀ ରୋଗ, ଶିଶୁ ରୋଗ ଓ ସର୍ଜରୀ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି ଏବଂ ଆଗାମୀ ଦିନରେ ବ୍ୟବସ୍ଥା କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ଅଧିକାରୀଙ୍କ ପ୍ରତିକ୍ରିୟା ସ୍ପଷ୍ଟ କରୁଛି ଯେ, ବ୍ଲକର ଏକମାତ୍ର ସ୍ବାସ୍ଥ୍ୟ କେନ୍ଦ୍ରଟି ଏବେ ‘ଇନଚାର୍ଜ’ ଓ ‘ବେସରକାରୀ ବ୍ୟବସ୍ଥା’ ଉପରେ ନିର୍ଭର କରୁଛି। ଇନଚାର୍ଜ ବ୍ୟବସ୍ଥାରେ ସୱାସ୍ଥ୍ୟ ସେବା କେତେଦୂର ସଫଳ ହେବ, ତାହାକୁ ନେଇ ସ୍ଥାନୀୟ ବାସିନ୍ଦା ସନ୍ଦେହ ପ୍ରକାଶ କରିଛନ୍ତି। ଦୁର୍ଗମ ଅଞ୍ଚଳର ଲୋକେ ଜୀବନ ମରଣ ସହ ସଂଗ୍ରାମ କରୁଥିବା ବେଳେ ପ୍ରଶାସନ କେବଳ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରି ରହିବା କେତେଦୂର ଯୁକ୍ତିଯୁକ୍ତ? ଜିଲା ପ୍ରଶାସନ ଏହି ଦୁର୍ଗମ ଅଞ୍ଚଳର ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ଅଧିକ ଗୁରୁତର ହେବା ପାଇଁ ସାଧାରଣରେ ଦାବି ଜୋର ଧରିଛି।

 

Dharitri – Odisha’s No.1 Odia Daily

 

Share