ଭବାନୀପାଟଣା,୧୪ା୩(ଉତ୍ତମ କୁମାର ଦାଶ):ଜନ୍ମରୁ ଭିନ୍ନକ୍ଷମ ହୋଇ ବି ସକ୍ଷମ ଭାବରେ ଜୀବନଯାପନ କରୁଛନ୍ତି। ଜୀବନ ଯୁଦ୍ଧରେ କେବେ ହାର ନ ମାନି ସୃଷ୍ଟି କରିପାରିଛନ୍ତି ନିଜର ସ୍ବତନ୍ତ୍ର ପରିଚୟ। ସେ ହେଲେ କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନକଟିଗୁଡା ଗ୍ରାମର କ୍ଷୀରାଦ୍ଧି ମାଝୀ। ଜନ୍ମରୁ ତାଙ୍କର ଦୁଇଟି ଗୋଡ଼ ପଙ୍ଗୁ ହୋଇଯାଇଛି। ଛୋଟବେଳୁ ପାଠପଢା ପ୍ରତି ତାଙ୍କର ଥିଲା ଅଦମ୍ୟ ଇଚ୍ଛା। ଗାଁ ସ୍କୁଲରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଲେ। ପରେ ଜୁନାଗଡ଼ରେ ଥିବା କନ୍ୟାଶ୍ରମରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢି ପାସ୍ କରିଛନ୍ତି। ବାପା ଥିବା ପର୍ଯ୍ୟନ୍ତ ତାଙ୍କର ସବୁ ସୁବିଧା ଥିଲା। କିନ୍ତୁ ବାପାଙ୍କ ଦେହାନ୍ତ ପରେ ସେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତଥାପି ସଂଘର୍ଷ କରି ୨୦୧୭ରୁ ବ୍ଲକ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର କର୍ମଚାରୀଙ୍କ ସଂସ୍ପର୍ଶରେ ଆସିବା ପରେ ଆଉ ସେ ପଛକୁ ଫେରିନାହାନ୍ତି । ସରକାରଙ୍କ ପକ୍ଷରୁ କ୍ଷୀରାଦ୍ଧିଙ୍କୁ ଇ ରିକ୍ସା, ସିଲେଇ ମେଶିନ ସାଙ୍ଗକୁ ଭିନ୍ନକ୍ଷମ ଭତ୍ତା ଓ ରାଶନ କାର୍ଡ ପ୍ରଦାନ କରାଯାଇଛି। ବର୍ତ୍ତମାନ କ୍ଷୀରାଦ୍ଧି ୫୦ରୁ ଊଦ୍ଧର୍ବ ଭିନ୍ନକ୍ଷମ ସ୍ବୟଂ ସହାୟକ ଗୋଷ୍ଠୀ ତିଆରି କରି ଅନେକ ପ୍ରଶଂସାପତ୍ର ପାଇଛନ୍ତି। ସେହିପରି ୨୦୨୨ ପଞ୍ଚାୟତ ନିର୍ବାଚନରେ ସେ ୪ନଂ. ୱାର୍ଡର ୱାର୍ଡସଭ୍ୟା ଭାବେ ନିଦ୍ଦର୍ବନ୍ଦ୍ୱରେ ନିର୍ବାଚିତ ହୋଇ ଲୋକଙ୍କ ସେବା କରୁଛନ୍ତି । ବର୍ତ୍ତମାନ ସେ ଲୋକଙ୍କ ପାଇଁ କାମ କରୁଥିବା ବେଳେ ବଞ୍ଚତ୍ଥିବା ପର୍ଯ୍ୟନ୍ତ ଏଭଳି କାର୍ଯ୍ୟ ଜାରିରଖିବେ ବୋଲି କ୍ଷୀରାଦ୍ଧି ପ୍ରକାଶ କରିଛନ୍ତି।