ବରଗଡ଼,୨୯।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ବରଗଡ଼ ପକ୍ସୋ ଜଜ୍ ଏହି ମାମଲାର ବିଚାର କରି ଅଭିଯୁକ୍ତ କୁନୁ ଓରଫ୍ ସମୀର ସେଠଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ୧୦ହଜାର ଟଙ୍କା ଜରିମାନା କରିଛନ୍ତି। ସେହିପରି ପୀଡ଼ିତାଙ୍କୁ ପୁନର୍ବାସ ସକାଶେ କ୍ଷତିପୂରଣ ବାବଦକୁ ୧୦ଲକ୍ଷ ଟଙ୍କା ଦେବା ପାଇଁ ଜିଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦିଆଯାଇଛି।
ପ୍ରକାଶଥଉକି, ୨୦୧୫ ଅଗଷ୍ଟ ୪ତାରିଖରେ ଜଣେ ଦିବ୍ୟାଙ୍ଗ (ମୂକ, ବଧିର) ନାବାଳିକା ଗ୍ରାମର ଏକ ଜଳାଶୟକୁ ଗାଧୋଇବା ପାଇଁ ଯାଇଥିବାବେଳେ ଅଭିଯୁକ୍ତ ଜଣକ ତାଙ୍କୁ ଏକ ପରିବା କିଆରିକୁ ନେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ପୀଡ଼ିତାଙ୍କ ମା’ ଏ ନେଇ ଅଭିଯୋଗ କରିବା ପରେ ସେତେବେଳେ ଏକ ମାମଲା ରୁଜୁ ହୋଇଥିଲା ଏବଂ ସେହି ମାମଲା ପକ୍ସୋ କୋର୍ଟରେ ବିଚାରାଧିନ ଥିଲା। ପକ୍ସୋ ଜଜ୍ ମାମଲାର ବିଚାର ସମୟରେ ପୀଡ଼ିତାଙ୍କ ପକ୍ଷରୁ ୧୪ଜଣଙ୍କ ସାକ୍ଷ୍ୟ ପ୍ରଦାନ ସହିତ ୧୭ଦସ୍ତାବିଜ କୋର୍ଟରେ ଦାଖଲ କରାଯାଇଥିଲା। ଅତିରିକ୍ତ ସରକାରୀ ଓକିଲ ଦ୍ୟୁତିଶ ଆଚାର୍ଯ୍ୟ ଏହି ମାମଲା ପରିଚାଳନା କରୁଥିଲେ।