Categories: Home Middleଖେଳ

ଇଣ୍ଡିଆ ଓପନ୍: କୋର୍ଟରେ ପଡ଼ିଲା ପାରା ମଳ, ଦୁଇଥର ଅଟକିଲା ମ୍ୟାଚ୍

ନୂଆଦିଲ୍ଲୀ,୧୫।୧: ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ଚାଲିଥିବା ‘ଇଣ୍ଡିଆ ଓପନ୍ ସୁପର ୭୫୦’ ରେ ଭାରତର ମୁଣ୍ଡ ତଳକୁ ନଇଁଯାଇଛି। ବିଶ୍ୱସ୍ତରୀୟ ଏହି ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ବିଶ୍ୱ ଚାମ୍ପିୟନସିପ୍ ପଦକ ବିଜେତା ଏଚ୍.ଏସ୍ ପ୍ରଣୟ ଏବଂ ସିଙ୍ଗାପୁରର ଲୋ କିନ୍ ୟୁଙ୍କ ମଧ୍ୟରେ ଚାଲିଥିବା ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚ୍ ସମୟରେ କୋର୍ଟ ଉପରେ ପାରା ମଳ ପଡ଼ିବାରୁ ଖେଳକୁ ଦୁଇଥର ବନ୍ଦ କରିବାକୁ ପଡିଛି।

ପ୍ରଣୟ ଏବଂ ଲୋ କିନ୍ ୟୁଙ୍କ ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ଚାଲିଥିବା ବେଳେ ଉପରୁ ପାରା ମଳ ପଡ଼ିଥିଲା। ସୁରକ୍ଷା ଓ ସ୍ୱଚ୍ଛତା ଦୃଷ୍ଟିରୁ ରେଫରି ଖେଳ ଅଟକାଇ କୋର୍ଟ ସଫା କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ମାତ୍ର କିଛି ଦିନ ପୂର୍ବରୁ ବ୍ୟାଡମିଣ୍ଟନ ଆସୋସିଏସନ ଅଫ୍ ଇଣ୍ଡିଆ (BAI)ର ସାଧାରଣ ସମ୍ପାଦକ ସଞ୍ଜୟ ମିଶ୍ର କହିଥିଲେ ଯେ ଷ୍ଟାଡିୟମ ସମ୍ପୂର୍ଣ୍ଣ ରୂପେ “ପାରା ମୁକ୍ତ”। ଡେନମାର୍କ ଖେଳାଳି ମିଆ ବ୍ଲିଚଫେଲ୍ଟଙ୍କ ସ୍ୱଚ୍ଛତା ଅଭିଯୋଗର ଜବାବ ଦେଇ ସେ ଏହି ଦାବି କରିଥିଲେ, ଯାହା ଏବେ ଭୁଲ୍ ପ୍ରମାଣିତ ହୋଇଛି।

ଦିଲ୍ଲୀର ପ୍ରଦୂଷଣ ଓ ପ୍ରବଳ ଶୀତକୁ ନେଇ ପୂର୍ବରୁ ଅନେକ ଖେଳାଳି ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଶ୍ୱର ଦ୍ୱିତୀୟ ମାନ୍ୟତା ପ୍ରାପ୍ତ ଆଣ୍ଡର୍ସ ଆଣ୍ଟୋନସେନ ପ୍ରଦୂଷଣ କାରଣରୁ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଥିବା ବେଳେ ଲୋ କିନ୍ ୟୁ ମଧ୍ୟ ଶ୍ୱାସକ୍ରିୟାରେ ସମସ୍ୟା ହେଉଥିବା କହିଛନ୍ତି।

ଏହି ମ୍ୟାଚରେ ପ୍ରଣୟ ତିନୋଟି ଗେମ୍‌ରେ ପରାଜିତ ହୋଇଥିଲେ। ମ୍ୟାଚ୍ ପରେ ସେ କହିଛନ୍ତି, “ପକ୍ଷୀ ଝାଡ଼ା ଯୋଗୁଁ ଖେଳ ଅଟକିଥିଲା, କିନ୍ତୁ ମୁଁ ପରିବେଶକୁ ଦୋଷ ଦେବାକୁ ଚାହୁଁନାହିଁ। ସବୁ ଖେଳାଳିଙ୍କ ପାଇଁ ପରିସ୍ଥିତି ସମାନ।”

ସୂଚନାଯୋଗ୍ୟ ଯେ, ଗତକାଲି ଷ୍ଟାଡିୟମର ଦର୍ଶକ ଗ୍ୟାଲେରୀରେ ଏକ ମାଙ୍କଡ଼ ମଧ୍ୟ ଦେଖାଯାଇଥିଲା। ଆଗାମୀ ଅଗଷ୍ଟରେ ଏହି ଭେନ୍ୟୁରେ ବିଶ୍ୱ ଚାମ୍ପିୟନସିପ୍ ଆୟୋଜିତ ହେବାକୁ ଥିବାବେଳେ, ବାରମ୍ବାର ଏଭଳି ସ୍ୱଚ୍ଛତା ଓ ପରିଚାଳନାଗତ ତ୍ରୁଟି ଭାରତର ଆୟୋଜନ କ୍ଷମତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Share