ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ ସବସିଡି ବ୍ୟୟରେ ନଗଦ ସହାୟତାର ଅଂଶ ମାତ୍ର ୩ ପ୍ରତିଶତ ଥିବାବେଳେ ଏବେ ତାହା ବୃଦ୍ଧି ପାଇ ୨୦ ପ୍ରତିଶତରେ ପହଞ୍ଚିଛି।
ତାମିଲନାଡୁରେ ହିତାଧିକାରୀଙ୍କୁ ଫେବୃଆରୀ ଆରମ୍ଭରେ ୧.୩୧ କୋଟି ହିତାଧିକାରୀଙ୍କୁ ୫,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଶାସକ DMK ଦଳ ପୁଣି କ୍ଷମତାକୁ ଆସିଲେ ମାସିକ ସହାୟତାକୁ ୧,୦୦୦ରୁ ୨,୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇଛି।
ବିହାରରେ ନୀତିଶ କୁମାର ସରକାର ‘ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା’ରେ ୨୫ ଲକ୍ଷ ମହିଳାଙ୍କୁ ୧୦,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି। ଏଥିସହ ବ୍ୟବସାୟ ପାଇଁ ୨ ଲକ୍ଷ ଟଙ୍କାର ସହାୟତା ପ୍ରତିଶ୍ରୁତି ମଧ୍ୟ ରହିଛି। ୨୦୨୩ ପରଠାରୁ ଓଡ଼ିଶା, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ଭଳି ରାଜ୍ୟଗୁଡ଼ିକ ଏହି ଧାରାରେ ସାମିଲ ହୋଇଛନ୍ତି।
ଅର୍ଥ କମିଶନଙ୍କ ତଥ୍ୟ ଅନୁଯାୟୀ, ବଡ଼ ରାଜ୍ୟଗୁଡ଼ିକରେ ଏହି ନଗଦ ହସ୍ତାନ୍ତର ଯୋଜନା ପାଇଁ ମୋଟ ବ୍ୟୟ ୧.୯୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି, ଯାହା ୨୦୧୮-୧୯ ତୁଳନାରେ ୫୩.୬% ଅଧିକ। କମିଶନ ଚେତାବନୀ ଦେଇଛନ୍ତି ଯେ ଏଭଳି “ଅନିୟନ୍ତ୍ରିତ ସଂପ୍ରସାରଣ” ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତିକୁ ଦୀର୍ଘକାଳୀନ ଭାବେ ଅସ୍ଥିର କରିଦେବ।
ରିପୋର୍ଟ ଅନୁଯାୟୀ, ନଗଦ ଟଙ୍କା ବାଣ୍ଟିବା ଚକ୍କରରେ ରାଜ୍ୟଗୁଡ଼ିକ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଖର୍ଚ୍ଚ କମାଇ ଦେଇଛନ୍ତି। ୨୦୧୮-୧୯ରେ ନଗଦ ହସ୍ତାନ୍ତର ପାଇଁ ବଜେଟ୍ର ମାତ୍ର ୩% ଖର୍ଚ୍ଚ ହେଉଥିବା ବେଳେ ଏବେ ତାହା ୨୦%କୁ ବୃଦ୍ଧି ପାଇଛି। ଅପରପକ୍ଷେ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଗୃହ ନିର୍ମାଣ କ୍ଷେତ୍ରରେ ବ୍ୟୟ ୧୩%ରୁ ୧୧%କୁ ହ୍ରାସ ପାଇଛି।
ମହିଳା ଭୋଟରଙ୍କୁ କେନ୍ଦ୍ର କରି ପ୍ରସ୍ତୁତ ଏହି ଯୋଜନାଗୁଡ଼ିକ ନିର୍ବାଚନରେ ବଡ଼ ସଫଳତା ଆଣୁଥିବାରୁ, କୌଣସି ବି ରାଜ୍ୟ ସରକାର ଆର୍ଥିକ ଅନୁଶାସନ ରକ୍ଷା କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି।