ଛିଡ଼ା ହୋଇ କରୁଥିଲେ ଭିଡିଓ: ଆଖି ଆଗରେ ଚାଲିଗଲା ସାଙ୍ଗର ଜୀବନ

ଉଦଳା,୧୮ା୧୦(ସନ୍ତୋଷ କୁମାର ବାଛିନି): ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଧୀନ ଟୁଙ୍କି ଜଳପ୍ରପାତରେ ବୁଡ଼ି ଜଣେ ଡିପ୍ଲୋମା ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାରିପଦା ମୁର୍ଗାବାଡ଼ି ଅଞ୍ଚଳର ସୌମିତ କୁମାର ପାତ୍ର।

ସେ ଲକ୍ଷ୍ମୀପୋଷି ମୟୂରଭଞ୍ଜ ସ୍କୁଲ ଅଫ୍‌ ଇଞ୍ଜିନିୟରିଂରେ ଡିପ୍ଲୋମା କରୁଥିଲେ। ପ୍ରକାଶ ଯେ, ସୌମିତ ଅନ୍ୟ ଜଣେ ସାଙ୍ଗଙ୍କ ସହିତ ଟୁଙ୍କି ଜଳପ୍ରପାତ ବୁଲିବାକୁ ଆସିଥିଲେ।

ଜଳପ୍ରପାତରେ ପଶି ଗାଧୋଉଥିବା ବେଳେ ତାଙ୍କ ସାଙ୍ଗ ବାହାରେ ଛିଡ଼ା ହୋଇ ଭିଡିଓ କରୁଥିଲେ। ଅସାବଧାନତା ବସତଃ ସୌମିତଙ୍କ ଗୋଡ଼ ଖସି ଯିବାରୁ ସେ ଜଳ ପ୍ରପାତରେ ବୁଡ଼ି ଯାଇଥିଲେ।

ସାଙ୍ଗ ଉଦ୍ଧାର କରିବାକୁ ଚେଷ୍ଟା କରିବା ସହ ପାଟି କରିଥିଲେ। ପାଟି ଶୁଣି ସ୍ଥାନୀୟ ଲୋକେ ପହଞ୍ଚିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରି ସୌମିତଙ୍କୁ ଉଦ୍ଧାର କରି ଖୁଣ୍ଟା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।