ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ ଏହିଠାରେ କରିଥାନ୍ତି। ଫଳରେ ଖାଦ୍ୟପେୟର ଏକ ସୁନ୍ଦର ପରିବେଶ ମାତାପିତା ଏବଂ ଶିଶୁ ମଧ୍ୟରେ ଭାବପ୍ରବଣତାପୂର୍ଣ୍ଣ ବିବାଦରେ ପରିଣତ ହୋଇଯାଇପାରେ। ବିଶେଷ କରି କିଶୋରୀ କିଶୋରଙ୍କ କ୍ଷେତ୍ରରେ ଏହା ଅଧିକ ସମ୍ବେଦନଶୀଳ ହୋଇଥାଏ।
ଅନେକ ମାତାପିତା ଏପରି ମୁହୂର୍ତ୍ତର ସମ୍ମୁଖୀନ ହୋଇଛନ୍ତି, ଯେଉଁଠାରେ କ୍ଳାନ୍ତି କିମ୍ବା ଚିଡ଼ିଚିଡ଼ା ହେତୁ ସେମାନେ ତାଙ୍କର ପିଲାଙ୍କୁ କୁହନ୍ତି, ‘ତୁମେ ଯାହା ଚାହୁଁଛ କର’। ଫଳରେ ପରିସ୍ଥିତି ସମାଧାନ ହେବା ପରିବର୍ତ୍ତେ ଖରାପ ହୁଏ। ଶିଶୁ-ମନୋବିଜ୍ଞାନ ଦୃଷ୍ଟିକୋଣରୁ, ଏପରି ମୁହୂର୍ତ୍ତଗୁଡ଼ିକ ଖାଦ୍ୟ ଗ୍ରହଣ କରିବା ଅପେକ୍ଷା ବହୁତ ଅଧିକ ତର୍କ ପ୍ରବଣ ହୁଅନ୍ତି। କାରଣ ମାତାପିତାଙ୍କ ବ୍ୟସ୍ତ ବହୁଳ ସମୟ ବ୍ୟତୀତ ଏହି ସମୟ ହେଉଛି ପିଲାମାନଙ୍କ ସହିତ ଏକତ୍ର ହେବା, ଭେଟ ହେବାର ଅବସର। ଯାହାର ଉପଯୋଗ କରିବାକୁ ଯାଇ ବେଳେବେଳେ ନକାରାତ୍ମକ ପରିବେଶକୁ ନିମନ୍ତ୍ରଣ କରିଥାନ୍ତି। ତେବେ ପିଲାଟିର କାର୍ଯ୍ୟକୁ ସକାରାତ୍ମକ ଢଙ୍ଗରେ ସମୀକ୍ଷା କରିବା ପରିବର୍ତ୍ତେ କଥୋପକଥନ ଯୁକ୍ତିତର୍କ ଆଡ଼କୁ ଚାଲିଯାଇଥାଏ। ଏହା ପିଲାର ଭାବପ୍ରବଣ ଆବଶ୍ୟକତା, ବିକାଶଶୀଳ ସ୍ବାୟତ୍ତତା ଏବଂ ମାତାପିତାଙ୍କ ସ୍ବରର ସମ୍ବେଦନଶୀଳତାକୁ ପ୍ରତିଫଳିତ କରେ। ଶିଶୁର ମନକୁ ବୁଝିବା ସହିତ ରାତ୍ରିଭୋଜନ ସମୟ ହେଉଛି ଏକ ଉଚ୍ଚ ପାରସ୍ପରିକ କ୍ରିୟା ଯାହା ଶିଶୁ ବିକାଶ, ମାନସିକ ସ୍ବାସ୍ଥ୍ୟ ଏବଂ ମାତାପିତା-ସନ୍ତାନର ସମ୍ପର୍କକୁ ପ୍ରଭାବିତ କରେ। ସକାରାତ୍ମକ, ସଂରଚିତ ଏବଂ କମ୍ ଚାପପୂର୍ଣ୍ଣ ପରିବେଶ ଭୟ ଓ ଚିନ୍ତା କମ୍ କରେ । ଯେତେବେଳେ ପିଲାମାନଙ୍କୁ ଚାପ ଦେବା ସେତେବେଳେ ପ୍ରାୟତଃ ତାହା ଦୀର୍ଘକାଳୀନ ଖାଦ୍ୟ ସମସ୍ୟା ସହିତ ଅସ୍ବାସ୍ଥ୍ୟକର ଖାଦ୍ୟ ଆଚରଣର କାରଣ ହୁଏ।
ମାନସିକ ଦୃଷ୍ଟିରୁ, ପିଲାକୁ ଖାଦ୍ୟ କ’ଣ, କେବେ ଏବଂ କେଉଁଠାରେ ପରିବେଷଣ କରାଯିବ ତାହା ଉପରେ ମାତାପିତା ଧ୍ୟାନଦେବାକୁ ସୁପାରିସ କରାଯାଏ, ଯେତେବେଳେ କି ପିଲା କ’ଣ ଖାଇବାକୁ ଚାହୁଁଛି ବା ଚାହୁଁନାହିଁ ଏବଂ କେତେ ଖାଇବାକୁ ଚାହୁଁଛି ତାହାକୁ ବିଚାରକୁ ନେବା ଉଚିତ। ଏହା ସ୍ବାୟତ୍ତତାକୁ ପ୍ରୋତ୍ସାହିତ କରେ ଏବଂ ଭୋଜନ ସମୟର ଅଯଥା ସଂଘର୍ଷକୁ ହ୍ରାସ କରେ। ବାତାବରଣକୁ ଗୁରୁତ୍ୱ ପ୍ରଦାନ କରି କଥାବାର୍ତ୍ତା ସକାରାତ୍ମକ ଉତ୍ସାହଜନକ ଏବଂ ବିଭ୍ରାନ୍ତିମୁକ୍ତ ହେବା ଉଚିତ। ଏହା ଏକ ଉଷ୍ମ ପରିବେଶ ହେବା ଉଚିତ, ଯେଉଁଠି ମାତାପିତା ଓ ପିଲା ଉଭୟଙ୍କ ପାଇଁ ଉତ୍ତମ ସାମାଜିକ ଦକ୍ଷତା ଏବଂ ମାନସିକ ସ୍ବାସ୍ଥ୍ୟ ଫଳାଫଳକୁ ପ୍ରୋତ୍ସାହିତ କରିବ। ପିଲାଙ୍କୁ ଖାଇବାକୁ ବାଧ୍ୟ କରିବା ଦ୍ୱାରା ସେମାନଙ୍କର ଖାଦ୍ୟ ଗ୍ରହଣକୁ ଆତ୍ମ-ନିୟନ୍ତ୍ରିତ କରିବାର ପ୍ରାକୃତିକ, ଜନ୍ମଗତ କ୍ଷମତା ହ୍ରାସ ପାଇପାରେ। ବ୍ୟବହାରକୁ ବାଧ୍ୟତାମୂଳକ କରିବା ପରିବର୍ତ୍ତେ ସ୍ବାସ୍ଥ୍ୟକର ନୂତନ ଖାଦ୍ୟ ସହିତ ସମ୍ପର୍କ ସ୍ଥାପନକୁ ଉତ୍ସାହିତ କରିବା ଅଧିକ ପ୍ରଭାବଶାଳୀ। ନିୟମିତ, ଶାନ୍ତ ପରିବେଶରେ ପାରିବାରିକ ରାତ୍ରିଭୋଜନ ଦ୍ବାରା କିଶୋରୀକିଶୋରଙ୍କ ମଧ୍ୟରେ ଡିପ୍ରେସନ, ଚିନ୍ତା, ନିଶା ବ୍ୟବହାର ଏବଂ ଖାଦ୍ୟ ବିକାରର ହ୍ରାସ ଘଟାଏ। ଯଦିଓ ପିଲା ବହୁତ ଖାଏ ନାହିଁ, ଏକ ସକାରାତ୍ମକ ଖାଦ୍ୟ ପରିବେଶର ସ୍ଥିର ଉପସ୍ଥିତି ଲାଭଦାୟକ ହୋଇଥାଏ। ମାତାପିତା ପିଲାର ପୁଷ୍ଟି ବିଷୟରେ ନିଜର ଚିନ୍ତାକୁ ପରିଚାଳନା କରିବା ଉଚିତ ଏବଂ ରାତ୍ରିଭୋଜନକୁ ଯୁଦ୍ଧକ୍ଷେତ୍ର କରିବାରୁ ଦୂରେଇ ରହିବା ଆବଶ୍ୟକ। ଏହା ସହିତ ଖାଦ୍ୟ ପ୍ରସ୍ତୁତିରେ ପିଲାମାନଙ୍କୁ ସାମିଲ କରିବା ଦ୍ୱାରା ସେମାନଙ୍କର ନୂତନ ଖାଦ୍ୟ ଚେଷ୍ଟା କରିବାର ଇଚ୍ଛା ବୃଦ୍ଧି ପାଇପାରେ। ନିୟମିତ ଏକତ୍ର ବସି ବା ପରିବାର ସହ ରାତ୍ରିଭୋଜନ ଭାବପ୍ରବଣ ସଂଯୋଗକୁ ବୃଦ୍ଧି କରେ, ଆତ୍ମସମ୍ମାନ ବୃଦ୍ଧି କରେ, ଯୋଗାଯୋଗ ଦକ୍ଷତାକୁ ଉନ୍ନତ କରେ ଏବଂ ଡିପ୍ରେସନର ବିପଦକୁ ହ୍ରାସ କରି ପିଲାଙ୍କ ମନସ୍ତତ୍ତ୍ୱକୁ ଉନ୍ନତ କରିବାରେ ସହାୟକ ହୁଏ।
ପିଲାମାନେ ଡାଇନିଂ ଟେବୁଲରେ ଦେଖାଯାଉଥିବା ଆଚରଣକୁ ଅନୁକରଣ କରନ୍ତି, ଯାହା ସୁସ୍ଥ ଖାଦ୍ୟ ଅଭ୍ୟାସ ଶିଖାଇବା ପାଇଁ ମାତାପିତାଙ୍କ ଆଚରଣକୁ ପ୍ରାଧାନ୍ୟ ଦେଇଥାଏ। ରାତ୍ରିଭୋଜନ ସମୟରେ ପିଲାଙ୍କ ପାଇଁ କଥାବାର୍ତ୍ତା ଅଭ୍ୟାସ କରିବା, ବିନମ୍ର ମଧୁର କଥାର ଶବ୍ଦକୋଷକୁ ବଳିଷ୍ଠ କରିବା ଆବଶ୍ୟକ। ଶୁଣିବା ଶିଖିବାର ଏହା ଏକ ସୁଯୋଗ କହିଲେ ଅତ୍ୟୁକ୍ତି ହେବ ନ।ହିଁ। ରାତ୍ରିଭୋଜନ ଟେବୁଲ ଏକ ସୁରକ୍ଷିତ ସ୍ଥାନ ହେବା ଉଚିତ, ‘ସଂଘର୍ଷର କ୍ଷେତ୍ର’ ନୁହେଁ। ନିରନ୍ତର ଓ ଉଚ୍ଚଚାପ ପିଲାଙ୍କ ସୁସ୍ଥ ଖାଦ୍ୟ ଅଭ୍ୟାସକୁ ବାଧା ଦେଇପାରେ। ଏକାଠି ଭୋଜନ କରିବାରେ ସ୍ଥିରତା ପିଲାମାନଙ୍କୁ ସୁରକ୍ଷିତ ଅନୁଭବ କରିବାରେ ସାହାଯ୍ୟ କରେ ଏବଂ ସେମାନଙ୍କ ଆଚରଣକୁ ଉନ୍ନତ କରେ। ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ରିପୋର୍ଟରୁ ଜଣାଯାଏ ଯେଉଁ ମାଆମାନେ ସକାରାତ୍ମକ ଭାବନା ପ୍ରକାଶ କରନ୍ତି ଓ ଭୋଜନ ସମୟର ଚାପ ପରିଚାଳନା କରନ୍ତି ସେମାନେ ସେମାନଙ୍କ ପିଲାମାନଙ୍କ ମଧ୍ୟରେ ଉତ୍ତମ ଖାଦ୍ୟ ଆଚରଣ ପାଇଥାନ୍ତି। ଏହି ସମୟରେ ଦୈନନ୍ଦିନ ଜୀବନ କିମ୍ବା ପାରିବାରିକ ଇତିହାସ ବିଷୟରେ କାହାଣୀ କହିବା ଏବଂ ଶେୟାର କରିବା ଏକ କିଶୋରର ସାମାଜିକ ଏବଂ ଭାବପ୍ରବଣ ସୁସ୍ଥତାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରେ। ସେଥିପାଇଁ ଏକ ସକାରାତ୍ମକ ପରିବେଶ ଉପରେ ଧ୍ୟାନ ଦେବା ଜରୁରୀ, ଯାହା ପିଲାଙ୍କ ସ୍ବାଧୀନତାକୁ ପ୍ରୋତ୍ସାହିତ କରିବ। ଏମିତି ପରିବେଶ ପ୍ରତିଟି ପରିବାରରେ ସୃଷ୍ଟି ହେବା ଉଚିତ, ଯେଉଁଠି ଡାଇନିଂ ଟେବୁଲକୁ ଯିବାର ସମୟକୁ ପିଲେ ଚାହିଁ ରହିଥିବେ।
ଶୁଭ ନାରାୟଣ ଶତପଥୀ
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ:୯୪୩୮୪୩୨୦୨୩