୨୦ରେ ଜୀ ସାର୍ଥକର ‘ଦିଲ୍‌ ମୋର ମାନେନା’

ଭୁବନେଶ୍ୱର,୧୪।୧୧: ରାଜ୍ୟର ପ୍ରମୁଖ ମନୋରଞ୍ଜନଭିତ୍ତିକ ଘରୋଇ ଟିଭି ଚ୍ୟାନେଲ ଜି ସାର୍ଥକର ବହୁ ପ୍ରତୀକ୍ଷିତ ସୁପରହିଟ ଓଡ଼ିଆ ଚଳଚ୍ଚିତ୍ର ‘ଦିଲ୍‌ ମୋର ମାନେନା’ ଆସନ୍ତା ରବିବାର (ନଭେମ୍ବର-୨୦) ସା ୬ଟା ୩୦ରେ ଓ୍ବାର୍ଲଡ ଟେଲିଭିଜନ ପ୍ରିମିୟର ହେବାକୁ ଯାଉଛି। ବିଶେଷକରି ଓଲିଉଡ୍‌ର ସୁପରିଚିତ ନିର୍ଦ୍ଦେଶକ ହିମାଂଶୁ ପରିଜା(ଚଣ୍ଡୀ)ଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ଯୁବ କଳାକାର ଶିବାନୀ ଏବଂ ସ୍ବରାଜଙ୍କ ଅଭିନୀତ ଉକ୍ତ ଚଳଚ୍ଚିତ୍ରଟି ଓଡ଼ିଆ ଦର୍ଶକଙ୍କୁ ବେଶ୍‌ ବାନ୍ଧି ରଖିବ ବୋଲି ଜୀ ସାର୍ଥକ ପକ୍ଷରୁ ଆଶା କରାଯାଉଛି। ସେହିଭଳି ବସନ୍ତରାଜ ସାମଲ ଉକ୍ତ ଚଳଚ୍ଚିତ୍ର ପାଇଁ ଗୀତ ରଚନା କରିଥିବା ବେଳେ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଗୀତଗୁଡିକ ବେଶ୍‌ ଲୋକପ୍ରିୟ ହୋଇପାରିଛି ଏବଂ ମାଷ୍ଟର ମୁରଲୀ ଉକ୍ତ ସିନେମାର ନୃତ୍ୟ ସଂଯୋଜନା କରିଛନ୍ତି।

ସେହିପରି ଏକ ବଳିଷ୍ଠ ପ୍ରେମ କାହାଣୀ ଉପରେ ଆଧାରିତ ଉକ୍ତ ସିନେମାର କାହାଣୀ ବେଶ୍‌ ରୋମାଞ୍ଚକ ରହିଛି, ଅନେକ ବାଧା ବିଘ୍ନ ସତ୍ତ୍ୱେ ପ୍ରେମ କିପରି ଭାବେ ସମସ୍ତଙ୍କର ହୃଦୟ ଜିତିଛି ତାହା ହିଁ ଉକ୍ତ ଚଳଚ୍ଚିତ୍ରର କାହାଣୀର ମୁଖ୍ୟ ପୃଷ୍ଠଭୂମି ବୋଲି ଜୀ ସାର୍ଥକ ପକ୍ଷରୁ କୁହାଯାଇଛି। ଉକ୍ତ ଚଳଚ୍ଚିତ୍ରଟି ଦର୍ଶକଙ୍କୁ ଭାବପ୍ରବଣତାରେ ବାନ୍ଧି ରଖିବା ସହ ଭରପୂର ମନୋରଞ୍ଜନ ଯୋଗାଇବ ବୋଲି ସିନେମାର ନିର୍ଦ୍ଦେଶକ ପରିଜା ମତବ୍ୟକ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଉକ୍ତ ସିନେମାଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରି ବିପୁଳ ପରିମାଣର ବ୍ୟବସାୟୀକ ସଫଳତା ପାଇସାରିଛି। ଏପରିକି ଉକ୍ତ ସିନେମାର ୱାର୍ଲଡ ଟେଲିଭିଜନ ପ୍ରିମିୟର ମଧ୍ୟ ଅନୁରୂପ ସଫଳତା ପ୍ରଦର୍ଶନ କରିବ ବୋଲି ଜୀ ସାର୍ଥକର ବ୍ୟବସାୟିକ ମୁଖ୍ୟ ପ୍ରତୀକ ସିଲ୍‌ ମତପ୍ରକାଶ କରିଛନ୍ତି।