ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ ପୁରସ୍କୃତ ହୋଇଛନ୍ତି। ପଞ୍ଜାବ ପ୍ରଦେଶ ଜଳନ୍ଧର ସହରରେ ଦୁଇଦିନ ଧରି ଆୟୋଜିତ ହୋଇଥିବା ୧୫ ତମ ଆନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିୟମ ପ୍ରକାରେ ଗୋଡ଼କୁ ସିଧା କରି ଉଠାଣ ( ଷ୍ଟ୍ରେଇଟ ଲେଗ ରେଇଜ ) ଏବଂ ରିଭର୍ସ ପୁଲ ଆପ ପ୍ରଦର୍ଶନ କରି ଦ୍ବିତୀୟ ସ୍ଥାନ ଅଧିକାର କରିବା ସହ ସିଲଭର ମେଡାଲ ହାସଲ କରିବା ସଙ୍ଗେ ଟ୍ରଫି ହାସଲ କରିଛନ୍ତି । ଶଙ୍କର ନିଜର ପ୍ରତିଭା ପ୍ରଦର୍ଶନ କରି ପୁରସ୍କୃତ ହେବା ସହ ଦିଗପହଣ୍ଡି ସହର ପାଇଁ ଗୈାରବ ଆଣିଛନ୍ତି । ଶଙ୍କରଙ୍କ ପରିବାର ଆର୍ଥିକ ସ୍ବଚ୍ଛଳ ନଥିଲେ ମଧ୍ୟ ଛୋଟ ବୟସରୁ ଜିମ ଯିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଆର୍ଥିକ ଅନାଟନ ମଧ୍ୟରେ ସହରର ଏକ ଛୋଟିଆ ଜିମକୁ ଯାଇ ସେଠାରେ ତାଲିମ ନେଇଥିଲେ । ପ୍ରତିଦିନ ସକାଳେ ସନ୍ଧ୍ୟାରେ କଠିନ ବ୍ୟାୟାମ କରି ପରବର୍ତ୍ତୀ ସମୟରେ ସେ ଜଣେ ବଡ଼ି ବିଲ୍ଡର ଭାବେ ଓଡ଼ିଶା , ଆନ୍ଧ୍ରପ୍ରଦେଶର ବିଭିନ୍ନ ସହରରେ ଅନୁଷ୍ଠିତ ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରିଥିଲେ । ଏପରିକି ସେ ବିଭିନ୍ନ ଜିମକୁ ଆସୁଥିବା ବହୁ ସଂଖ୍ୟକ ଯୁବକଙ୍କୁ ସୁନ୍ଦର ଶରୀର ଗଠନ ନିମନ୍ତେ ତାଲିମ ଦେଇଛନ୍ତି। ବର୍ତ୍ତମାନ ସେ ଦିଗପହଣ୍ଡି ବସଷ୍ଟାଣ୍ଡ ସ୍ଥିତ ଏକ ଜିମର ପ୍ରଶିକ୍ଷକ ଭାବେ ଯୁବତୀ ଯୁବକ ମାନଙ୍କୁ ତାଲିମ ଦେଉଛନ୍ତି।