ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ମହୋତ୍ସବ: ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ମହୋତ୍ସବ ବୁଧବାର ଦୁଇଦିନରେ ପହଞ୍ଚିଛି। ସାରେ ବଜାରସାହି ଗାନ୍ଧୀଛକ ସ୍ଥିତ ଅସ୍ଥାୟୀ ଯାତ୍ରାପୀଠରେ ଶକ୍ତିପଲ୍ଲବ ତନ୍ତ୍ର ମତେ ଉଗ୍ରଚଣ୍ଡୀ ମଣ୍ଡଳ କ୍ରମେ ଆଶ୍ୱୀନ ଶୁକ୍ଳପକ୍ଷ ମହାନବମୀ ତିଥିରେ ସେବା ପୂଜା ମଣୋହି କରାଯାଇଥିଲା।

ମା’ଙ୍କୁ ଦର୍ଶନ ଓ ପୂଜା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ମୁଖ୍ୟ ସେବାୟତ ଆଦିତ୍ୟ ପାତ୍ର ଆଳତି କରିବା ପରେ ପୁରୋହିତ ପଣ୍ଡିତ ସନାତନ ରଥ ଶର୍ମା ଘଟ ଶୋଭାଯାତ୍ରା ପାଇଁ ମା’ଙ୍କୁ ଆବାହନ କରିଥିଲେ। ମା’ଙ୍କ ଆଜ୍ଞାମାଳ ପରେ ପାର୍ଶ୍ୱ ଘଟ ଧାରୀ ମହିଳାମାନେ ମା’ଙ୍କ ହୁକୁମ ନେଇ ମସ୍ତକକୁ ଘଟ ଉଠାଇଥିଲେ।

ମୁଖ୍ୟ ଘଟକୁ ସମ୍ମୁଖ ଭାଗରେ ରଖାଯିବା ପରେ ମା’ ବୁଢ଼ୀ ଠାକୁରାଣୀ ବାଦ୍ୟ ବାଜଣାର ତାଳେ ତାଳେ ଝୁଲିଝୁଲି ଯାତ୍ରାପୀଠରୁ ଶୋଭାଯାତ୍ରାରେ ବାହାରି ବଜାର ସାହି, ଚନ୍ଦ୍ରଚୁଡ ସାହି, ଗୁଣ୍ଡିଚା ମନ୍ଦିର ରୋଡ଼, ରାଜନଗର-୨, ସାନଦାଣ୍ଡ ସାହି, ଜନତା ଲେନ୍‌ ଦେଇ ମା’ଙ୍କ ଘଟ ପରିକ୍ରମା ହୋଇଥିଲା ।

ବୁଧବାର ବିଳମ୍ବିତ ରାତିରେ ଯାତ୍ରାପୀଠକୁ ପ୍ରତ୍ୟାବର୍ତ୍ତନ କରିବେ। ଯାତ୍ରାପୀଠରେ ସକାଳେ ପୁଟବଗଡ଼ ଗ୍ରାମର ପୌରାଣିକ ରାଧାପ୍ରେମଲୀଳା ଏବଂ ରାତିରେ ଦିଗପହଣ୍ଡିର ବ୍ଲାକ ଡାଇମଣ୍ଡ ଡାନ୍ସ ଗ୍ରୁପର କଳାକାର ବୃନ୍ଦ ନୃତ୍ୟଗୀତ ପରିବେଷଣ କରିଥିଲେ।

ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ଘଟ ଶୋଭାଯାତ୍ରା ବଜାର ସାହିର ଶ୍ରୀ ବାଙ୍କବିହାରୀ ମଠ ପର୍ଯ୍ୟନ୍ତ ଯାଇ ପୁଣି ଯାତ୍ରାପୀଠକୁ ଫେରିଥିଲା। ଦିଗପହଣ୍ଡିର ସାଂସ୍କୃତିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ କଳା ନିକେତନ ର ମୁଖ୍ୟ ନାଟ୍ୟ ଶ୍ରୀ ପ୍ରଦୀପ କୁମାର ରଥ ଓ ସାଥୀ ବୃନ୍ଦ ନୃତ୍ୟ ପରିବେଷଣ କରିଥିଲେ। ଦୂରଦୁରାନ୍ତରେ ରହୁଥିବା ସହରର ଅନେକ ବ୍ୟକ୍ତି ଯାତ୍ରା ପୀଠରେ ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ନିମନ୍ତେ ସପରିବାର ସହ ଘରେ ପହଞ୍ଚିଛନ୍ତି।

ଅସ୍ଥାୟୀ ଯାତ୍ରା ପୀଠକୁ ମା’ଙ୍କ ଆଗମନ ପରେ ସମଗ୍ର ଦିଗପହଣ୍ଡି ସହର ଚଳଚଞ୍ଚଳ ହୋଇପଡିଛି। ଆକର୍ଷଣୀୟ ତୋରଣ, ମୀନାବଜାର, ରାମ ଦୋଳି ଏବଂ ଝଲସି ଉଠୁଥିବା ଆଲୋକମାଳା ଶ୍ରଦ୍ଧାଳୁଙ୍କ ଭିଡକୁ ବହୁଗୁଣିତ କରିବାରେ ସହାୟକ ହୋଇଛି।

ପରିଚାଳନା କମିଟିର କର୍ମକର୍ତ୍ତା ବିକାଶ ପଶୁପାଳକ, ଏ.ସାକିଲି, ବିଚିତ୍ରାନନ୍ଦ ପଟ୍ଟନାୟକ, ଦୀପକ କୁମାର ମିଶ୍ର, ଆଶିଷ ପଟ୍ଟନାୟକ, କୁରେଶୁ ମହାରଣା, ନୀଳମାଧବ ଗୌଡ, ପ୍ରଦୀପ କୁମାର ପଣ୍ଡା, ରବିନ୍ଦ୍ର ମାର୍ଥା, ଶିବଶଙ୍କର ମହାଙ୍କୁଡ, ଏ . ଗୋବିନ୍ଦଙ୍କ ସମେତ ଅନ୍ୟାନ୍ୟ ଯାତ୍ରା କମିଟି ସଦସ୍ୟ ସମେତ ପୋଲିସ ବାହିନୀ ଉପସ୍ଥିତ ରହି ଯାତ୍ରାରେ ଭିଡ ନିୟନ୍ତ୍ରଣ କରିଥିଲେ।