ଦିଗପହଣ୍ଡି,୨୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲ ସଭାର ପରିବର୍ଦ୍ଧିତ କାଉନସିଲ ସଭା ବୁଧବାର ଏନ୍ଏସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ନଗରପାଳ ପ୍ରଫୁଲ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର , ପୂର୍ତ୍ତବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ସ୍ବରାଜ ପାଣିଗ୍ରାହୀ , ଉପାଧ୍ୟକ୍ଷା କେ . ପୂଜା ପ୍ରମୁଖ ମଞ୍ଚାସୀନ ଥିଲେ । ବିଦ୍ୟୁତ ବିଭାଗ ତରଫରୁ ସହରର ରହିଥିବା ସମସ୍ତ ୱାର୍ଡରେ ବାସ କରୁଥିବା ଘର ମାନଙ୍କରେ ଯଦି ଆଗାମୀ ଦିନରେ ଅନାବଶ୍ୟକ ଭାବେ ସ୍ମାର୍ଟ ବିଦ୍ୟୁତ ମିଟର ସଂଯୋଗ କରାଯାଏ ତେବେ ସହରରେ ଜନ ଆନ୍ଦୋଳନ କରାଯିବ ବୋଲି ନଗରପାଳ ସଭାରେ ଚେତାବନୀ ଦେଇଥିଲେ । ସେହିପରି କେନାଲ ହିଡ ମାନଙ୍କରୁ ବିଦ୍ୟୁତ ଟ୍ରାନ୍ସଫର୍ମର ଉଚ୍ଛେଦ ଦାବି , ଅନ୍ତୋଦୟ ଯୋଜନାରେ ବଞ୍ଚିତ ସହରର ବହୁ ସଂଖ୍ୟକ ଅସହାୟ ଗରିବ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ୩୫ କେଜି ଲେଖାଏ ମାଗଣା ଚାଉଳ ପ୍ରଦାନ କରାଯିବା, ସ୍ଥାନୀୟ ବସଷ୍ଟାଣ୍ଡଠାରୁ ହନୁମାନ ବାଟିକା ପର୍ଯ୍ୟନ୍ତ ଡ୍ରେନ କାର୍ଯ୍ୟ ନିର୍ମାଣ , ଗୁଣ୍ଡିଚା ମନ୍ଦିର ଠାରୁ ଶ୍ମଶାନ ପର୍ଯ୍ୟନ୍ତ ପାଇପ ଲାଇନ ପାଇଁ ଖୋଳା ଯାଇଥିବା କଂକ୍ରିଟ କାମ ନିମ୍ନମାନର ଯୋଗୁଁ ପୁନର୍ବାର କାମକୁ କରାଯିବା ପାଇଁ ସଭାରେ ବିସ୍ତୃତ ଆଲୋଚନା ହୋଇଥିଲା । ସଭାରେ ଜଳସେଚନ ବିଭାଗ ଯନ୍ତ୍ରୀ ଇଂ. ସୁଶାନ୍ତ କୁମାର ମହାପାତ୍ର , ବସନ୍ତ କୁମାର ବେହେରା , ଯୋଗାଣ ନିରୀକ୍ଷକ ବ୍ରଜେଶ୍ବର ରାଏ , ବିଶଷେର ପଟ୍ଟନାୟକ , କାଉନସିଲର ଦୀପକ କୁମାର ମିଶ୍ର , ନୀଳମାଧବ ଗୌଡ଼ , ସୁଶାନ୍ତ ପାତ୍ର , ସୁନୀଲ ପଣ୍ଡା , କରିଶ୍ମା ନାୟକ , ମାମିନି ବେହେରା , ଜ୍ୟୋତ୍ସ୍ନା ଜେନା ଙ୍କ ସମେତ ଏନଏସି କାର୍ଯ୍ୟାଳୟର ସମସ୍ତ ଯନ୍ତ୍ରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।