ନୂଆଦିଲ୍ଲୀ,୨୭ା୨(ପି.ଟି.): ଡିଜିଟାଲ ପ୍ଲାଟ୍ଫର୍ମଗୁଡ଼ିକରେ ପ୍ରକାଶ ପାଉଥିବା ଅନ୍ଲାଇନ କଣ୍ଟେଣ୍ଟ ପାଇଁ ସେମାନଙ୍କୁ ଉତ୍ତରଦାୟିତ୍ୱ ନେବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। କଣ୍ଟେଣ୍ଟ ବା ବିଷୟବସ୍ତୁର ପ୍ରସ୍ତୁତକର୍ତ୍ତା ଏବଂ ଖବର ପ୍ରସ୍ତୁତକାରୀ ସଂଗଠନଗୁଡ଼ିକ ମଧ୍ୟରେ ଯେପରି ରାଜସ୍ବର ସୁଷମ ବଣ୍ଟନ ହୁଏ, ତାହା ସୁନିଶ୍ଚିତ କରିବାକୁ ହେବ। କ୍ଷତିପୂରଣ କାରଣରୁ ଯଦି ବିଷୟବସ୍ତୁ ପ୍ରସ୍ତୁତକାରୀଙ୍କୁ ଉପଯୁକ୍ତ ପ୍ରାପ୍ୟ ନ ମିଳେ ତେବେ ନୂତନତ୍ୱ ପ୍ରଭାବିତ ହେବ ବୋଲି ଅଶ୍ୱିନୀ ସତର୍କ କରାଇଦେଇଛନ୍ତି।
ନୂଆଦିଲ୍ଲୀରେ ଡିଜିଟାଲ ନ୍ୟୁଜ୍ ପ୍ରକାଶକ ସଂଘ (ଡିଏନ୍ପିଏ) ସମ୍ମିଳନୀରେ ଉଦ୍ବୋଧନ ଦେଇ ଅଶ୍ୱିନୀ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଦ୍ୱାରା ସୃଷ୍ଟ ବିଷୟବସ୍ତୁର ବ୍ୟବହାରକୁ ନିୟନ୍ତ୍ରଣ କରିବା ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି। ଏଆଇ ଜେନେରେଟେଡ୍ କଣ୍ଟେଣ୍ଟ ପ୍ରସ୍ତୁତିରେ ଯେଉଁ ବ୍ୟକ୍ତିଙ୍କ ମୁହଁ, ସ୍ବର କିମ୍ବା ବ୍ୟକ୍ତିତ୍ୱକୁ ବ୍ୟବହାର କରାଯାଉଛି, ତାଙ୍କ ବିନା ଅନୁମତିରେ ତାହା କରାଯିବା ଉଚିତ ନୁହେଁ। ପିଲାମାନେ ଓ ସମସ୍ତ ନାଗରିକଙ୍କ ଅନ୍ଲାଇନ ସୁରକ୍ଷା ଦାୟିତ୍ୱ ପ୍ଲାଟ୍ଫର୍ମର। ଡିଜିଟାଲ ପ୍ଲାଟ୍ଫର୍ମଗୁଡିକ ପ୍ରଭାବଶାଳୀ ଗଣମାଧ୍ୟମ ସଂସ୍ଥାରେ ପରିବର୍ତ୍ତିତ ହୋଇଥିବା ଅଶ୍ୱିନୀ କହିଛନ୍ତି। ବୌଦ୍ଧିକ ସମ୍ପତ୍ତିକୁ ଉପଯୁକ୍ତ ସମ୍ମାନ ଓ ନ୍ୟାୟସଙ୍ଗତ ପାରିଶ୍ରମିକ ମିଳିବା ଜରୁରୀ। ବିଜ୍ଞାନ,ପ୍ରଯୁକ୍ତି, କଳା ଓ ଭାଷାରେ ସମାଜର ଅଗ୍ରଗତି ଏହା ଉପରେ ନିର୍ଭର କରୁଛି। ସେଥିପାଇଁ ଡିଜିଟାଲ ପ୍ଲାଟ୍ଫର୍ମଗୁଡ଼ିକ କେବଳ ଖବର ସଂଗଠନ ନୁହେଁ ବରଂ ଦୂରାନ୍ତ ଅଞ୍ଚଳର ସ୍ବାଧୀନ ବିଷୟବସ୍ତୁ ପ୍ରସ୍ତୁତକର୍ତ୍ତା, ଇନ୍ଫ୍ଲୁଏନ୍ସର, ପ୍ରଫେସର ଏବଂ ଗବେଷକମାନଙ୍କୁ ଉପଯୁକ୍ତ ରାଜସ୍ବ ବଣ୍ଟନ ସୁନିଶ୍ଚିତ କରାଯିବା ଆବଶ୍ୟକ ।
ସମସ୍ତ ପ୍ଲାଟ୍ଫର୍ମ ସେମାନଙ୍କ ବୁଝାମଣା ନୀତିର ପୁନର୍ବିଚାର କରିବାକୁ କେନ୍ଦ୍ରମନ୍ତ୍ରୀ ନିବେଦନ କରିଛନ୍ତି। ଡିଜିଟାଲ ପ୍ଲାଟ୍ଫର୍ମଗୁଡ଼ିକୁ ଜାଗ୍ରତ ହେବାକୁ ହେବ ଏବଂ ବହୁ ହଜାର ବର୍ଷ ଧରି ମାନବ ସମାଜ ନିର୍ମାଣ କରିଥିବା ଅନୁଷ୍ଠାନଗୁଡ଼ିକରେ ଦୃଢ଼ ବିଶ୍ୱାସର ଗୁରୁତ୍ୱକୁ ହୃଦୟଙ୍ଗମ କରିବାକୁ ହେବ। ଅନ୍ଲାଇନ ସୁରକ୍ଷା, ଖବରର ନିର୍ଭରଯୋଗ୍ୟତା, ପିଲାମାନଙ୍କ ସୁରକ୍ଷା, ଅଶ୍ଳୀଳତା ବିରୋଧରେ ସୁରକ୍ଷା ଆଦି ସମସ୍ୟା ସହ ସମାଜ ଯୁଝୁଥିବାବେଳେ ଆଗାମୀ ଦଶକରେ ସେଗୁଡ଼ିକର ସମାଧାନ କରାଯିବା ଆବଶ୍ୟକ ବୋଲି ଅଶ୍ୱିନୀ କହିଛନ୍ତି।