ସାଧାରଣତଃ ଯଦି ଖାଦ୍ୟ ଠିକ୍ ଭାବରେ ହଜମ ନ ହେଲା ତେବେ ଅଜୀର୍ଣ୍ଣ ସମସ୍ୟା ଦେଖାଯାଇଥାଏ। ଏହାପଛରେ ମଧ୍ୟ ଆଉ କେତୋଟି କାରଣ ରହିଛି। ଆବଶ୍ୟକତା ଠାରୁ ଅଧିକ ଖାଇବା, ଖାଇବାକୁ ଇଚ୍ଛା ନ ଥାଇ ଖାଇବା, ଖାଇବାରେ ଅନିୟମିତତା, ଅଧିକ ସମୟ ଉପବାସ ରହିବା କିମ୍ବା ତେଲମସଲାଯୁକ୍ତ ଖାଦ୍ୟ ଅଧିକ ଖାଇବା ଦ୍ୱାରା ଜଣେ ବ୍ୟକ୍ତି ଅଜୀର୍ଣ୍ଣ ସମସ୍ୟାର ସମ୍ମୁଖୀନ ହେବାର ଯଥେଷ୍ଟ ଆଶଙ୍କା ରହିଛି। ତେବେ ଏଭଳି କେତେକ ଘରୋଇ ଉପଚାର ରହିଛି, ଯାହାକୁ ଅନୁସରଣ କଲେ ଏଥିରୁ କେତେକାଂଶରେ ଉପଶମ ମିଳିଥାଏ। ଖାଇ ସାରିବା ପରେ ଏକ ଚାମଚ ଅଦା ରସରେ ଲେମ୍ବୁ ଏବଂ ଅଳ୍ପ ମହୁ ମିଶାଇ ଏହି ମିଶ୍ରଣକୁ ଖାଆନ୍ତୁ। ପ୍ରତିଦିନ କିଛି ପରିମାଣରେ ନିମ୍ବ ରସ ସେବନ କରନ୍ତୁ। ଏହାଦ୍ୱାରା ପାଚନ କ୍ରିୟା ଆହୁରି ଦୃଢ଼ ହୋଇଥାଏ। ରାତିରେ ଶୋଇବାକୁ ଯିବାର ଅତିକମ୍ରେ ଦୁଇ ଘଣ୍ଟା ପୂର୍ବରୁ ରାତ୍ରଭୋଜନ ଶେଷ କରନ୍ତୁ। ଏହାଦ୍ୱାରା ଖାଇଥିବା ଖାଦ୍ୟ ସହଜରେ ହଜମ ହୋଇଥାଏ। ରାତିରେ ସବୁବେଳେ ହାଲୁକା ଏବଂ ସୁପାଚ୍ୟ ଖାଦ୍ୟ ଖାଆନ୍ତୁ। ଖାଇବା ପରେ ଅଳ୍ପ ପାନ ମଧୁରୀ ଚୋବାଇ ଖାଆନ୍ତୁ। ଏହାଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଥାଏ। ସବୁଠରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସୁଷମ ତଥା ଭିଟାମିନଯୁକ୍ତ ଖାଦ୍ୟ ଠିକ୍ ସମୟରେ ଖାଆନ୍ତୁ ଏବଂ ଆବଶ୍ୟକ ମୁତାବକ ପାଣି ପିଅନ୍ତୁ। ଖାଦ୍ୟ ଖାଇବାର ଅଧ ଘଣ୍ଟାଏ ପରେ ପାଣି ପିଅନ୍ତୁ। ଖାଦ୍ୟ ଖାଉଥିବା ବେଳେ ବାରମ୍ବାର ପାଣି ପିଇଲେ ତାହା ପାଚନ କ୍ରିୟାକୁ ପ୍ରଭାବିତ କରିଥାଏ।