ଭଡ଼ା ଘରୁ ଦିଗପହଣ୍ଡି ଷ୍ଟେଟ୍‌ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ ଜବତ, ଏକମାତ୍ର ପୁଅଙ୍କୁ ହରାଇ…

ଦିଗପହଣ୍ଡି, ୧୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI)ର ଜଣେ ବରିଷ୍ଠ କିରାଣିଙ୍କ ମୃତଦେହ ବୁଧବାର ଅପରାହ୍ନରେ ତାଙ୍କ ଭଡ଼ାଘରୁ ପୋଲିସ ଜବତ କରିଛି। ମୃତକ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲା ବାରିପଦା ସହରର ଗୌରବ ମାରାଣ୍ଡି (୩୪)।

ସୂଚନା ଅନୁଯାୟୀ, ଗୌରବ ଦିଗପହଣ୍ଡି ପୁଞ୍ଜିକଂୟା ଛକ ମେନ ରୋଡ଼ରେ ବ୍ୟାଙ୍କ ସିକ୍ୟୁରିଟି ଗାର୍ଡ ବାଳକୃଷ୍ଣ ଦୋରାଙ୍କ ଘରର ଦ୍ୱିତୀୟ ମହଲାରେ ଭଡ଼ାରେ ରହୁଥିଲେ। ସେ କିଛି ଦିନ ହେବ ମସ୍ତିସ୍କ ଜ୍ୱରରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ ଏବଂ ଗତ ସୋମବାରଠାରୁ ବ୍ୟାଙ୍କରୁ ଛୁଟି ନେଇ ଘରେ ରହୁଥିଲେ। ବୁଧବାର ଅପରାହ୍ନରେ ସେ ଘର ଭିତରେ ମୃତ୍ୟୁବରଣ କରିଥିବା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଖବର ପାଇ ଦିଗପହଣ୍ଡି ଥାନା ଏସ୍‌ଆଇ (SI) ସଦଳବଳେ ଅପରାହ୍ନ ପ୍ରାୟ ୪ଟା ସମୟରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ତାଙ୍କୁ ଉଦ୍ଧାର କରି ତୁରନ୍ତ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସାରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନା (MKCG)କୁ ପଠାଇଛି।

ଗୌରବ ତାଙ୍କ ପିତାଙ୍କର ଏକମାତ୍ର ପୁତ୍ର ଥିଲେ। ତାଙ୍କର ଏଭଳି ଆକସ୍ମିକ ମୃତ୍ୟୁରେ ଦିଗପହଣ୍ଡି ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଶ୍ରୀପଦ ପ୍ରସାଦ ସାହୁଙ୍କ ସମେତ ସମସ୍ତ କର୍ମଚାରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ବ୍ୟାଙ୍କ ପରିବାର ପକ୍ଷରୁ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଯାଇଛି।

Dharitri – Odisha’s No.1 Odia Daily

Share