ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ର ଏସ୍. ସାଇକ୍ରିଷ୍ଣା ପାତ୍ର ଅଂଶ ଗ୍ରହଣ କରି ନିଜ ପ୍ରତିଭା ପ୍ରଦର୍ଶନ କରିଛନ୍ତି।
ଗତ ଡିସେମ୍ବର ୨ ଓ ୩ ତାରିଖରେ ବ୍ରହ୍ମପୁର ଷ୍ଟାଡିୟମରେ ଆୟୋଜିତ ଗଞ୍ଜାମ ଜିଲାସ୍ତରୀୟ ପ୍ରତିଯୋଗିତାରେ ସାଇକ୍ରିଷ୍ଣା କ୍ରିକେଟ ମ୍ୟାଚରେ ଦମ୍ଦାର ବ୍ୟାଟିଂ କରିବା ସହ ଜଣେ ସଫଳ ଉଇକେଟ ରକ୍ଷକ ଭାବେ ନିଜକୁ ପ୍ରଦର୍ଶୀତ କରିଥିଲେ। ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସେ ଗତ ୬ ତାରିଖରୁ ୧୧ ତାରିଖ ଯାଏ ଜଗତସିଂହପୁରରେ ଚାଲିଥିବା ୬୯ତମ ରାଜ୍ୟସ୍ତରୀୟ ପ୍ରତିଯୋଗିତା ନିମନ୍ତେ ମନୋନୀତ ହୋଇଥିଲେ ।
ବର୍ତ୍ତମାନ ଜଗତସିଂହପୁରରେ ସାଇକ୍ରିଷ୍ଣା ଶ୍ରେଷ୍ଠ ପ୍ରଦର୍ଶନ ବଜାୟ ରଖିଥିବା ସୂଚନା ମିଳିଛି। ଏହି ସଫଳତା ପରେ ବିଭିନ୍ନ ମହଲରୁ ତାଙ୍କ ଶୁଭେଚ୍ଛା ଜଣାଯାଇଛି। ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଡ. ଶଙ୍କର ନାରାୟଣ ବେଜ, ବମକେଇ ପଞ୍ଚାୟତ ସରପଞ୍ଚ ତପନ କୁମାର ପ୍ରଧାନ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅରୁଣ ଚନ୍ଦ୍ର ମହାପାତ୍ର, କ୍ରୀଡା ଶିକ୍ଷୟିତ୍ରୀ ସସ୍ମିତା ପ୍ରଧାନଙ୍କ ସମେତ ବିଦ୍ୟାଳୟ ଶିକ୍ଷୟିତ୍ରୀ ଶିକ୍ଷକ ବୃନ୍ଦ ଏବଂ ପଞ୍ଚାୟତ ବାସୀଙ୍କ ପକ୍ଷରୁ ଶୁଭକାମନା ଜଣାଇବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇଛି।