ଗାଈ ମୋ ଜମିରେ କାହିଁକି ଛାଡ଼ିଛୁ କହି ବାଡେଇଲେ ,ଏବେ

ଦିଗପହଣ୍ଡି,୧୨।୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର କେ.ନୂଆଗାଁ ଥାନା ମେଘଝୋଳି ଗ୍ରାମର ନରସିଂହ ଗୌଡ଼ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଥାନା ମାମଲା ନଂ.୨୪୬/୨୫ ଅନୁଯାୟୀ, ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଶୁକ୍ରବାର ସକାଳ ପ୍ରାୟ ୮ଟାରେ କଇଠଖଣ୍ଡି ଗ୍ରାମର ବିନ ଗୌଡ଼ ମେଘଝୋଳି – କଇଠଖଣ୍ଡି ଗ୍ରାମ ରାସ୍ତାର ମା ’ଯୋଗାଡ଼ଦିଆ ଠାକୁରାଣୀ ମନ୍ଦିର ନିକଟରେ ଗାଈପଲ ଚରାଉଥିବା ବେଳେ ଅଭିଯୁକ୍ତ ନରସିଂହ ଏବଂ ତାଙ୍କ ପୁଅ କୁରେଶୁ ଗୌଡ଼ ସେଠାରେ ପହଞ୍ଚି ଆମ ଜମିରେ କାହିଁକି ଗାଈ ଛାଡ଼ିଚୁ। ଗାଈ ଆମ ଫସଲ ଖାଇଦେଲା କହିଥିଲେ। ବିନ ଗୌଡ଼ ମୋ ଗାଈ ପଲ ତୁମ ଜମିକୁ ଯାଇନାହିଁ କହିବାରୁ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ ନରସିଂହ ଏକ ଠେଙ୍ଗାରେ ବିନଙ୍କ ମୁଣ୍ଡକୁ ଆଘାତ କରିଥିଲେ। କୁରେଶୁ ମଧ୍ୟ ତାଙ୍କୁ ମାଡ଼ ମାରି ଚାଲିଯାଇଥିଲେ। କିଛି ବ୍ୟକ୍ତି ସେଠାରେ ପହଞ୍ଚି ଚେତାଶୂନ୍ୟ ଅବସ୍ଥାରେ ବିନଙ୍କୁ ଉଦ୍ଧାର କରି ଘରକୁ ନେଇଥିଲେ। ଏତଲା ହେବାପରେ ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଅଭିଯୁକ୍ତ ବାପ,ପୁଅଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ଏସଆଇ ଜ୍ୟୋତି ରଞ୍ଜନ ବେହେରାଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତକାରୀ ଅଧିକାରୀ ହତ୍ୟା ଉଦ୍ୟମରେ ବ୍ୟବହୃତ ଠେଙ୍ଗାକୁ ଜବତ କରିବାସହ ଅଭିଯୁକ୍ତ ନରସିଂହଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟତମ ଅଭିଯୁକ୍ତ କୁରେଶୁ ଗିରଫ ଭୟରେ ଫେରାର ଥିବା ଜଣାପଡିଛି।