ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା (ଟିଙ୍କା)ଙ୍କ ରବିବାର ଅପରାହ୍ନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ କିଛି ଦିନ ହେବ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା।
ଭୁବନେଶ୍ୱରରୁ ଆମ୍ବୁଲାନ୍ସ ଯୋଗେ ତାଙ୍କ ମରଶରୀରକୁ କଇଠଖଣ୍ଡି ଗ୍ରାମସ୍ଥିତ ବାସଭବନକୁ ଅଣାଯାଇଥିଲା। ତାଙ୍କ ପରଲୋକ ଖବର ଶୁଣି ବିଭିନ୍ନ ପଞ୍ଚାୟତର ବହୁ ସଂଖ୍ୟକ ଜନପ୍ରତିନିଧି ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ।
ସ୍ୱର୍ଗତ ସନ୍ତୋଷ ପଣ୍ଡା ଜଣେ ମେଳାପି, ମିଷ୍ଟଭାଷୀ ଏବଂ ଜଣେ ଭଲ କଣ୍ଠଶିଳ୍ପୀ ଭାବେ ପରିଚିତ ଥିଲେ। ସେ ଅବିବାହିତ ରହିବା ସହ ସ୍ଥାନୀୟ ଭାଜପାର ଜଣେ ସକ୍ରିୟ ଯୁବନେତା ଭାବେ ଦଳୀୟ କାର୍ଯ୍ୟ କରୁଥିଲେ।
ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ତାଙ୍କ ବିୟୋଗରେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ସରପଞ୍ଚ ମନୋରଞ୍ଜନ ଗୌଡ଼, ନଳିନୀକାନ୍ତ ବିଷୋୟୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତ୍ୟୁ ସମୟରେ ତାଙ୍କ ପରିବାର ଓ ଅନ୍ୟ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ।