ଦିଗପହଣ୍ଡି,୨୩।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଜନତା ଲେନ୍ରେ ବୁଧବାର ମଧ୍ୟାହ୍ନରେ ଜଣେ ମଦ୍ୟପଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି। ନିଶାରେ ଚୁର ଅବସ୍ଥାରେ ସେ ଜଣେ ଯୁବକଙ୍କ ଗାଲରେ ଛୁରୀ ଭୁଷି ଦେଇଥିଲେ। ଏଥିରେ ଯୁବକ କାହ୍ନା ସେଠୀ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି।
ସୂଚନାନୁଯାୟୀ, ଅରୁଣ ସେଠୀ ଜଣେ ମାନସିକ ବିକୃତ ଯୁବକ। ବୁଧବାର ସେ ମଦ ପିଇ ରାସ୍ତାକଡ଼ରେ ଛିଡ଼ା ହୋଇ ଗାଳି କରୁଥିବା ବେଳେ ସମ୍ପର୍କୀୟ କାହ୍ନା ସେଠୀ ତାଙ୍କୁ ଆକଟ କରିଥିଲେ। ଏଥିରେ ଉତ୍ତେଜିତ ହୋଇ ଅରୁଣ ମୁନାଙ୍କ ବାମ ପଟ ଗାଲକୁ ଛୁରୀରେ ଭୂଷି ଦେଇଥିଲେ। ଆଖପାଖରେ ଥିବା ଲୋକେ କାହ୍ନାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଟିମ୍ ଖବରପାଇ ଅରୁଣଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି। ସାସୁଦ୍ଧା ଏନେଇ ଥାନାରେ କୌଣସି ଏତଲା ହୋଇ ନ ଥିବା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି।