ଦିଗପହଣ୍ଡି,୯।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୭ ବର୍ଷୀୟା ନାବାଳିକା କଲେଜ୍ ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ଫେରାର ଥିବା ଯୁବକକୁ ରବିବାର ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ବ୍ରହ୍ମପୁର ଜେଲ୍ ହାଜତକୁ ପଠାଇ ଦିଆଯାଇଛି।
ଛାତ୍ରୀ ଏବଂ ସେହି ଗାଁର ଉକ୍ତ ଯୁବକ ଦୀର୍ଘ ଦିନ ଧରି ପରସ୍ପରକୁ ଭଲ ପାଉଥିଲେ। ଛାତ୍ରୀଙ୍କ ବିବାହ ଅନ୍ୟତ୍ର ସ୍ଥିର ହୋଇଯିବା ପରେ ଗତ ଅଗଷ୍ଟ ୧୦ ତାରିଖରେ ଉଭୟେ ଫେରାର ହୋଇ ରାଜ୍ୟ ବାହାରକୁ ଚାଲି ଯାଇଥିଲେ।
ଛାତ୍ରୀଙ୍କ ପରିବାର ଲୋକଙ୍କ ଏତଲା କ୍ରମେ ପାଟପୁର ଥାନାରେ ମାମଲା (ନଂ. ୩୮୫/୨୫) ରୁଜୁ ହୋଇଥିଲା। ଶନିବାର ଉଭୟ ପ୍ରେମୀ ଯୁଗଳ ଚିକିଟି ସ୍ଥିତ ଏକ ହୋଟେଲ ରୁମରେ ଥିବା ମୋବାଇଲ୍ ଲୋକେସନରୁ ଜଣାପଡ଼ିବା ପରେ ତଦନ୍ତକାରୀ ଅଧିକାରୀ (ଏସ୍.ଆଇ. ଶୁଭଲକ୍ଷ୍ମୀ କହଁର) ସଦଳବଳେ ଚଢ଼ାଉ କରି ସେମାନଙ୍କୁ ଥାନାକୁ ଉଠାଇ ଆଣିଥିଲେ।
ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଉଭୟଙ୍କ ଡାକ୍ତରୀ ମାଇନା କରାଯିବା ପରେ ପୀଡ଼ିତାଙ୍କ ବୟାନ ମାଜିଷ୍ଟ୍ରେଟ୍ଙ୍କ ସମ୍ମୁଖରେ ରେକର୍ଡ କରାଯାଇଥିଲା। ପରେ ଅଭିଯୁକ୍ତକୁ ବ୍ରହ୍ମପୁର ପୋକ୍ସୋ କୋର୍ଟକୁ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍କୁ ପଠାଇ ଦିଆଯାଇଛି।