ଅଟୋ ଚାଳକଙ୍କ ମହାନତା: ଯାତ୍ରୀଙ୍କୁ ଫେରାଇଲେ ୬୦ ହଜାର ଟଙ୍କା ଭର୍ତ୍ତି ବ୍ୟାଗ୍

ଦିଗପହଣ୍ଡି,୧।୧୨(ଅଶେଷ ନାଥ ମିଶ୍ର): ଜଣେ ଯାତ୍ରୀଙ୍କ ହଜିଯାଇଥିବା ଟଙ୍କା ଭର୍ତ୍ତି ବ୍ୟାଗକୁ ଫେରାଇ ସାନଖେମୁଣ୍ଡି ବ୍ଲକ ପାଟପୁର ଅନ୍ତର୍ଗତ ପଳାସପୁର ଗ୍ରାମର ଅଟୋ ଚାଳକ ଟୁକୁନା ସେଠୀ ନିଜର ମହାନତାର ନିଦର୍ଶନ ଦେଖାଇଛନ୍ତି, ଯାହା ସମଗ୍ର ଦିଗପହଣ୍ଡି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ପାଟପୁର ଥାନା ଚିନ୍ତାଖାଳି ଗ୍ରାମର ଏମ୍. ସତ୍ୟନାରାୟଣ ଦୋରା ସୋମବାର ସନ୍ଧ୍ୟାରେ ବ୍ରହ୍ମପୁରରୁ ଦିଗପହଣ୍ଡି ଫେରି ଏକ ଯାତ୍ରୀବାହୀ ଅଟୋ ଯୋଗେ ଚୁଡୁଙ୍ଗପୁର ଗ୍ରାମରେ ଓହ୍ଲାଇଥିଲେ। ଅବତରଣ ସମୟରେ ସେ ତାଙ୍କର ୬୦,୦୦୦ ଟଙ୍କା ଥିବା ବ୍ୟାଗ୍‌ଟିକୁ ଅଟୋରେ ଛାଡ଼ି ଚାଲିଯାଇଥିଲେ।

ଘରେ ପହଞ୍ଚି ବ୍ୟାଗ ନ ଥିବା ଜାଣିବା ପରେ ସତ୍ୟନାରାୟଣ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ ଏବଂ ଅଟୋର ଠିକଣା କିମ୍ବା ନମ୍ବର ଜାଣି ନଥିବାରୁ ଦିଗପହଣ୍ଡି ଥାନାରେ ପହଞ୍ଚିଥିଲେ।

ଅନ୍ୟପଟେ, ଅଟୋ ଚାଳକ ଟୁକୁନା ସେଠୀ ଘରେ ପହଞ୍ଚି ଅଟୋ ରଖିବା ସମୟରେ ବ୍ୟାଗଟିକୁ ଦେଖିଥିଲେ। ବ୍ୟାଗରେ ଟଙ୍କା ଥିବା ଦେଖି ସେ ତୁରନ୍ତ ତାହା ଫେରାଇବା ପାଇଁ ସିଧାସଳଖ ଥାନାରେ ପହଞ୍ଚିଥିଲେ।

ଦିଗପହଣ୍ଡି ଥାନାର ଏସ୍‌ଆଇ ସୋଫିଆ ମିଶ୍ରଙ୍କ ଉପସ୍ଥିତିରେ ଅଟୋ ଚାଳକ ଜଣକ ସମ୍ପୂର୍ଣ୍ଣ ଟଙ୍କା ଭର୍ତ୍ତି ବ୍ୟାଗକୁ ହଜିଥିବା ଯାତ୍ରୀଙ୍କୁ ହସ୍ତାନ୍ତର କରିଥିଲେ। ନିଜର ଟଙ୍କା ଫେରି ପାଇବା ପରେ ସତ୍ୟନାରାୟଣ ଦୋରା ଖୁସିରେ ଘରକୁ ଫେରିଥିଲେ। ଅଟୋ ଚାଳକ ଟୁକୁନା ସେଠୀଙ୍କ ଏହି ମହାନତାକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି।

Share
Tags: digapahandi