ଦିଗପହଣ୍ଡି,୧୧।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ଭ୍ରମରପୁର ଗ୍ରାମରେ ଜଳଖିଆ ହୋଟେଲ୍ ମାଲିକ ଭଗବାନ ମିଶ୍ର ଓ ତାଙ୍କ ଭାଇ ରବୀନ୍ଦ୍ର ମିଶ୍ରଙ୍କୁ ହତ୍ୟା ଉଦ୍ୟମ କରାଯିବା ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଦିଗପହଣ୍ଡି ସବ୍-ଜେଲ୍ ହାଜତକୁ ପଠାଇ ଦିଆଯାଇଛି।
ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଭ୍ରମରପୁର ଗ୍ରାମର ମୃତ୍ୟୁଞ୍ଜୟ ମହାରଣା ଏବଂ ବଜ୍ରଗୁମ୍ମା ଗ୍ରାମର ସନ୍ତୋଷ ମହାରଣା। କେ. ନୂଆଗାଁ ଥାନା ମାମଲା ନଂ ୩୮୭/୨୫ ଅନୁଯାୟୀ, ତଦନ୍ତକାରୀ ଅଧିକାରୀ ତଥା ନୂଆପଡ଼ା ଫାଣ୍ଡି ଏସ୍.ଆଇ. ଜଗବନ୍ଧୁ ବାର୍ଲା ଗିରଫ କରିଥିଲେ।
ରବିବାର ସକାଳ ପ୍ରାୟ ୧୦:୩୦ ବେଳେ ଗାଁ ବଜାର ରଥଦାଣ୍ଡ ବୁଲାଣିରେ ଦୁଇ ପରିବାର ମଧ୍ୟରେ ଲୁହାପାଇପ୍, କାଠଫଡ଼ା, ପଥରଖଣ୍ଡ ଧରି ପରସ୍ପରକୁ ଆକ୍ରମଣ କରାଯାଇଥିଲା।
ଏହି ଆକ୍ରମଣରେ ଭଗବାନ ମିଶ୍ର, ରବୀନ୍ଦ୍ର ମିଶ୍ର ଓ ନାରାୟଣ ମହାରଣା ଗୁରୁତର ଆହତ ହୋଇ ପ୍ରଥମେ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇ ଚିକିତ୍ସାଧୀନ ଅଛନ୍ତି।
ଏହି ବିବାଦ ଜବରଦଖଲ ଉଚ୍ଛେଦକୁ ନେଇ ଆରମ୍ଭ ହୋଇଥିଲା। ଜୁନ୍ ୨୪ ତାରିଖରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବଜାର ସାହି ରାସ୍ତା ପ୍ରଶସ୍ତିକରଣ ପାଇଁ ଜବରଦଖଲ ଉଚ୍ଛେଦ କରାଯାଇଥିଲା।
କିନ୍ତୁ ପରେ ଭଗବାନ ମିଶ୍ର ପୁଣି ଥରେ ରାସ୍ତା ଜବରଦଖଲ କରି ସିଡ଼ି ପାହାଚ ନିର୍ମାଣ କରିଥିଲେ। ଏହାକୁ ନେଇ ନାରାୟଣ ମହାରଣା ଓ ହୃଷୀକେଶ ମହାରଣା ପ୍ରତିବାଦ କରିବାରୁ ବିବାଦ ଆରମ୍ଭ ହୋଇଥିଲା। ଏହି ଘଟଣା ଶନିବାର ସନ୍ଧ୍ୟାରେ ମରଣାନ୍ତକ ଆକ୍ରମଣ ଏବଂ ରବିବାର ସକାଳେ ଉଭୟପକ୍ଷ ମଧ୍ୟରେ ସଂଘର୍ଷରେ ପରିଣତ ହୋଇଥିଲା।
ଉତ୍ତେଜନା ଓ ଅଭିଯୋଗ: ଗାଁରେ ଏହି ୨ ପରିବାର ମଧ୍ୟରେ ଚାପା ଉତ୍ତେଜନା ଲାଗିରହିଛି। ପ୍ରଶାସନର ପାତର ଅନ୍ତର ନୀତି ଯୋଗୁଁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଠିକ୍ ଭାବେ କାର୍ଯ୍ୟକାରୀ ହୋଇନଥିବାରୁ ଗ୍ରାମରେ ଅଶାନ୍ତି ଲାଗି ରହିଥିବା ଅଭିଯୋଗ ହୋଇଛି।