ଅନେକେ ହିନ୍ଦୁ ସଭ୍ୟତାକୁ ଭାରତୀୟ ସଭ୍ୟତା ବୋଲି କହିବାକୁ ପସନ୍ଦ କରନ୍ତି ଏବଂ ଏହା ବିଷୟରେ ବି ବହୁତ କିଛି ଆଲୋଚନା କରନ୍ତି। ହେଲେ ବାସ୍ତବତା କିଛି ଅଲଗା। ସମସ୍ତେ ଅନୁଭବ କରନ୍ତି ଯେ ସେମାନଙ୍କ ସଂସ୍କୃତି ଅନନ୍ୟ ଏବଂ ଅନ୍ୟସବୁ ତୁଳନାରେ ସମ୍ପୂର୍ଣ୍ଣ ଭିନ୍ନ। ତେଣୁ, ଏଭଳି ଚିନ୍ତାଧାରା ପଛରେ ରହିଛି କିଛି ଗଭୀର ଦେଶଭକ୍ତି ।
ଆମେ ଯଦି ପଛକୁ ଫେରିଯିବା ଓ ମଣିଷ ଇତିହାସର ଧାରାକୁ ଲକ୍ଷ୍ୟ କରିବା ତେବେ ଦେଖିପାରିବା, ଭାରତର ପଶ୍ଚିମ ଏବଂ ପୂର୍ୱରେ ଦୁଇଟି ଭିନ୍ନ ବିଚାରଧାରା ବା ସିଦ୍ଧାନ୍ତ ଅଛି। କିନ୍ତୁ ଉଭୟ ସିଦ୍ଧାନ୍ତ ଭାରତୀୟ ଭାବନାକୁ ପ୍ରକାଶ କରନ୍ତି ନାହିଁ। ସେହି ଦୃଷ୍ଟିରୁ, ମୂଳ ଭାରତୀୟ ଭାବନା ଅନନ୍ୟ ବୋଲି ବିଚାର କରାଯାଇପାରେ।
ପ୍ରଥମେ ପାଶ୍ଚାତ୍ୟ ଚିନ୍ତାଧାରା ଉପରେ ବିଚାର କରିବା। ଭାରତର ପଶ୍ଚିମ ଦିଗରେ ଅଛି ମଧ୍ୟପ୍ରାଚ୍ୟ ଓ ମଧ୍ୟଏସିଆ।
ତା’ପରକୁ ରହିଛି ୟୁରୋପ ଓ ଆମେରିକା ଏବଂ ଏହି ଅଞ୍ଚଳରୁ ସୃଷ୍ଟି ହୋଇଛି ଖ୍ରୀଷ୍ଟିଆନ, ଇସ୍ଲାମ ଧର୍ମ। ପରେ ଏଠାରୁ ବିଜ୍ଞାନ, ଧର୍ମନିରପେକ୍ଷତା ଏବଂ ଗଣତନ୍ତ୍ର ସାମ୍ନାକୁ ଆସିଥିଲା। ଏହି ସବୁ ବିଚାର ବିଶ୍ୱସ୍ତରୀୟ ହୋଇ ସମସ୍ତ ମାନବ ସମାଜ ପାଇଁ ପ୍ରଯୁଜ୍ୟ ହେଉ ବୋଲି ଚାହେଁ। ତେଣୁ ଲୋକଙ୍କୁ ଏକ ନିର୍ଦ୍ଦିଷ୍ଟ ଅଦ୍ୱେତବାଦୀ ଧର୍ମକୁ ପରିବର୍ତ୍ତନ କରିବା କିମ୍ୱା ବିଜ୍ଞାନ, ଯୁକ୍ତିଯୁକ୍ତତା ଏବଂ ଗୁରୁତ୍ୱପୂର୍ଣ୍ଣ ଚିନ୍ତାଧାରା ଭଳି ନିର୍ଦ୍ଦିଷ୍ଟ ବିଚାରରେ ଲୋକଙ୍କୁ ଶିକ୍ଷାଦେବାକୁ ଏହା ଅଧିକ ଆଗ୍ରହୀ। ପାଶ୍ଚାତ୍ୟ ଚିନ୍ତାଧାରା ବିଶ୍ୱବାଦ ଅର୍ଥାତ୍ ଖ୍ରୀଷ୍ଟିଆନ ଧର୍ମର ଦାର୍ଶନିକ ଏବଂ ଈଶ୍ୱରତାତ୍ତ୍ୱିକ ଧାରଣାର ବୈଶ୍ୱିକ ପ୍ରୟୋଗ କିମ୍ୱା ପ୍ରଯୁଜ୍ୟତା ଉପରେ ଗୁରୁତ୍ୱ ଦିଏ। ଏହା କ୍ଷମତା ବା ଅଧିକାରକୁ ମଧ୍ୟ ଜୋର୍ ଦେଇଥାଏ, ଯାହା ଦୁଇଟି ଗୋଷ୍ଠୀରେ ବିଭକ୍ତ । ଗୋଟିଏ ଗୋଷ୍ଠୀ ମଣିଷକୁ କ୍ଷମତା ଦେଇଥାଏ, ଯାହାକୁ ଏକଚ୍ଛତ୍ରବାଦୀ ଚିନ୍ତାଧାରା କୁହାଯାଇପାରେ। ଅନ୍ୟ ଏକ ଗୋଷ୍ଠୀ ବିଶ୍ୱାସ କରନ୍ତି ଯେ, କ୍ଷମତା ଜଣେ ବ୍ୟକ୍ତିଙ୍କୁ ନ ଦେଇ ଏକ ପ୍ରକାର ବୈଶ୍ୱିକ ନୀତି ଉପରେ ଆଧାରିତ ଅନୁଷ୍ଠାନକୁ ଦିଆଯିବା ଆବଶ୍ୟକ, ଯାହା ଧର୍ମୀୟ କିମ୍ୱା ଧର୍ମନିରପେକ୍ଷ ହୋଇପାରେ। ତେଣୁ ବ୍ୟବସ୍ଥାଗତ ପଦ୍ଧତି ସୃଷ୍ଟି ହୋଇଛି। ଆମ ପାଖରେ ଏପରି ଲୋକ ଅଛନ୍ତି, ଯେଉଁମାନେ ନିଜକୁ ଜାଗ୍ରତ ବୋଲି ଭାବନ୍ତି, ଯେଉଁମାନେ ସମୟ ଓ ପରିସ୍ଥିତି ଅନୁଯାୟୀ ସାଂସ୍କୃତିକ ଆଧାର ଥିବା ଲିଙ୍ଗଗତ ପରିଚୟର ଧାରଣାକୁ ବିଶ୍ୱସ୍ତରରେ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛନ୍ତି। ଚାଇନା, କୋରିଆ, ଜାପାନ ଭଳି ପୂର୍ୱ ଏସୀୟ ଦେଶ ଏବଂ ଦକ୍ଷିଣ ପୂର୍ୱ ଦେଶ ଭିଏତ୍ନାମ ଓ୍ୱାଲ ସିଟି ବା ପାଚେରିଘେରା ସହର ପାଇଁ ପ୍ରସିଦ୍ଧ। ଉଦାହରଣ ସ୍ୱରୂପ, ଚାଇନାର ଗ୍ରେଟ୍ ୱାଲ ଆଧୁନିକ ଯୁଗରେ ଚାଇନାର ଫାୟାରୱାଲ ପାଲଟି ଯାଇଛି। ଏହିସବୁ ଦେଶ ବିଦେଶୀଙ୍କୁ ସେମାନଙ୍କ ଦେଶରେ ପ୍ରବେଶ କରିବାକୁ ନ ଦେଇ ଅବଶିଷ୍ଟ ପୃଥିବୀରୁ ଅଲଗା ହୋଇ ରହିବାରେ ଏକ ଇତିହାସ ଅଛି। ଏହି ସବୁ ଦେଶ ସମେତ ପାଶ୍ଚାତ୍ୟର ଦେଶଗୁଡ଼ିକରେ ବିଶ୍ୱାସ ରହିଛି ଯେ, ତୁମେ କେବଳ ଥରେ ବଞ୍ଚିବ, ଅର୍ଥାତ୍ ଭବିଷ୍ୟତ ଜୀବନ ବା ପୁନର୍ଜୀବନ ନାହିଁ। କିନ୍ତୁ ପୁନର୍ଜନ୍ମ ଧାରଣା ଭାରତରେ ଅଛି, ଯାହା ଏହାର ଭିନ୍ନତାକୁ ଦର୍ଶାଏ।
ଭାରତୀୟ ବିଚାରଧାରାର ମୂଳ ତଥା ପ୍ରମୁଖ ଧାରଣା ହେଉଛି ପୁନର୍ଜନ୍ମ, ଯାହା ବୌଦ୍ଧଧର୍ମ, ଜୈନଧର୍ମ ଏବଂ ହିନ୍ଦୁଧର୍ମରେ ଅଛି। ପ୍ରାୟ ୨୫୦୦ ବର୍ଷ ପୂର୍ୱେ ପୁନର୍ଜନ୍ମର କଥା ବିଭିନ୍ନ ରୂପରେ ପ୍ରସାରିତ ହେବାକୁ ଆରମ୍ଭ କରିଥିଲା। ଭଲ କର୍ମର ଫଳ ଭଲ ଓ ଖରାପ କର୍ମର ଫଳ ଖରାପ ଓ ତାହା ଭୋଗିବାକୁ ପଡ଼ିବ ବୋଲି ମୂଲ୍ୟାୟନ କରାଯାଇଛି। ସିଦ୍ଧାନ୍ତ ହେଉଛି ଯେତେବେଳେ ଭାଗ୍ୟ ଆସେ ସେତେବେଳେ ଜାଣିବ ତୁମର ଗୋଟିଏ ଜନ୍ମରେ ସଞ୍ଚିତ ଭଲ କର୍ମର ଫଳ ମିଳୁଛି। ଦୁର୍ଭାଗ୍ୟ ଯେତେବେଳେ ଆସିବ ଜାଣିବ ତୁମର କିଛି କୁକର୍ମର ଫଳ ଏହି ଜନ୍ମରେ ପ୍ରାପ୍ତ ହେଉଛି। ଯେତେବେଳେ ତୁମର କୌଣସ ଖରାପ କିମ୍ୱା ଭଲ କର୍ମର ଫଳ ଭୋଗିବାକୁ ନ ଥାଏ ସେତେବେଳେ ଜନ୍ମ-ମୃତ୍ୟୁ ଚକ୍ରରୁ ଜୀବନ ମୁକ୍ତ ହୋଇଯାଏ। ଏହି ବିଚାରଧାରାରୁ ଅନୁମେୟ ଯେ, ଜୀବନ ଏକ ଲଗାତର ଯାତ୍ରା କିମ୍ୱା ଅନେକ ଅଭିଜ୍ଞତାର ସମାହାର। ଏହାର କୌଣସି ଶେଷ ସ୍ତର ନାହିଁ, ଯାହା ଅତ୍ୟନ୍ତ ପ୍ରାସଙ୍ଗିକ । ଏହି ଦୃଷ୍ଟିରୁ ବିଚାର କଲେ ଭାରତୀୟ ଚିନ୍ତାଧାରା ଅନନ୍ୟ ମନେହୁଏ।
ସାଧାରଣତଃ ପାଶ୍ଚାତ୍ୟ ଖ୍ରୀଷ୍ଟିଆନ ଧର୍ମର ଦାର୍ଶନିକ ତଥା ଈଶ୍ୱରତତ୍ତ୍ୱ ଧାରଣା ପାଇଁ ଚାଇନା, କୋରିଆ, ଜାପାନ ଏବଂ ଭିଏଟ୍ନାମ ସଂସ୍କୃତିଗୁଡ଼ିକର ଦ୍ୱାର ବନ୍ଦ। ହେଲେ ଭାରତୀୟମାନେ ତାହା କରି ନାହାନ୍ତି। ଭାରତୀୟମାନେ ଗୋଟିଏ ପ୍ରକାର ସିଦ୍ଧାନ୍ତକୁ ବିରୋଧ କରନ୍ତି। ଏଠାରେ ବିବିଧତାକୁ ସେମାନେ ଭଲ ପାଆନ୍ତି। ପରିଚାଳନା ଓ ନିୟନ୍ତ୍ରଣ ପାଇଁ ଭାରତରେ ଗୋଟିଏ ବୃହତ୍ ମାନକ ବ୍ୟବସ୍ଥା ବଦଳରେ ଅନେକ ପ୍ରକାରର ବୃହତ୍ ଓ କ୍ଷୁଦ୍ର ବ୍ୟବସ୍ଥା ସବୁ ଅଛି। ପୂର୍ୱ ଏସୀୟଦେଶଗୁଡ଼ିକର ବିଦେଶୀ ସଂସ୍କୃତି ପ୍ରତି ଖୋଲାଖୋଲି ଭାବେ ବିଦ୍ୱେଷ ବା ଘୃଣା ଭାବ ରହିଛି। ଅନ୍ୟପକ୍ଷରେ ଭାରତରେ ଜାତିପ୍ରଥା, ରୀତିନୀତି ଶୁଦ୍ଧତାର ଚିନ୍ତାଧାରା, ଏପରି କି ଅନ୍ୟ ଲୋକଙ୍କ ଘରେ ନ ଖାଇବାର ଅହଂକାର ମାଧ୍ୟମରେ ଘୃଣାଭାବ ପ୍ରକଟିତ ହୋଇଥାଏ।
ସମାନତା ଏବଂ ନ୍ୟାୟକୁ ଗ୍ରହଣ କରୁଥିବା ବିଶ୍ୱ ସମସ୍ତଙ୍କ ପାଇଁ ଗ୍ରହଣୀୟ। ଲୋକମାନଙ୍କୁ ମନେପକାଇବାକୁ ହେବ ଯେ, ପାଶ୍ଚାତ୍ୟଦେଶଗୁଡ଼ିକର ବିଚାରଧାରା ଯୁକ୍ତିଯୁକ୍ତ ନୁହେଁ। ତେବେ ପାଶ୍ଚାତ୍ୟର ଚିନ୍ତାଧାରା ଇସ୍ଲାମ ଏବଂ ଖ୍ରୀଷ୍ଟିଆନ ଭଳି ରକ୍ଷଣଶୀଳ ଧର୍ମଗୁଡ଼ିକର ଉତ୍ଥାନକୁ ରୋକିବାରେ ବିଫଳ ହୋଇଛି; ଯାହା ମଧ୍ୟ ନ୍ୟାୟ ଏବଂ ସମାନତା ଉପରେ ବିଶ୍ୱାସ କରେ ବୋଲି ଦାବି ରଖେ ଏବଂ ଏସବୁ ଏକ ଉଚ୍ଚ ଧର୍ମୀୟ ଶାସନ ଦ୍ୱାରା ଅନୁମୋଦିତ। ପାଶ୍ଚାତ୍ୟ ବୈଶ୍ୱିକ ସ୍ତରରେ ପ୍ରୟୋଗ କରିବାକୁ ଚାହଁୁଥିବା ଖ୍ରୀଷ୍ଟ୍ରଧର୍ମର ଦର୍ଶନ ଏବଂ ଈଶ୍ୱରବାଦୀ ଧାରଣାକୁ ଭାରତ ଅନୁସରଣ କରିନାହିଁ କିମ୍ୱା ପୂର୍ୱାଞ୍ଚଳ ଦେଶଗୁଡ଼ିକ ନିଜକୁ ଅବଶିଷ୍ଟ ବିଶ୍ୱଠାରୁ ଯେଭଳି ଅଲଗା କରି ରଖୁଥିଲେ ଭାରତ ବି ତାହା କରିନାହିଁ। ଏହାର ସ୍ୱତନ୍ତ୍ରତା ହେଉଛି ନୂତନ ଚିନ୍ତାଧାରା ସହିତ କାର୍ଯ୍ୟ କରିବା ଏବଂ ସମୟ ସହିତ ଲଗାତର ଭାବରେ ତା’ ସ୍ୱରୂପ ଓ ପରିଚୟକୁ ପରିବର୍ତ୍ତନ କରିବା। ସେଥିପାଇଁ ବୌଦ୍ଧଧର୍ମ ଓ ହିନ୍ଦୁଧର୍ମର ଅନେକ ବିବିଧତା ଅଛି। ଜୈନଧର୍ମରେ ଅନେକ ଗୋଷ୍ଠୀ ଓ ବିଚାରଧାରା ଅଛି। ତେବେ ବହୁ ପ୍ରତିଦ୍ୱନ୍ଦ୍ୱିତା ସତ୍ତ୍ୱେ କେହି ବି ଗୋଟିଏ ବିଚାରଧାରାକୁ ଅନ୍ୟ ଉପରେ ଲଦି ଦେବାକୁ ଚେଷ୍ଟା କରନ୍ତି ନାହିଁ।
-devduttofficial@gmail.com