ଡିଜେଲରେ ପାଣି: ମୁଖ୍ୟମନ୍ତ୍ରୀଙ୍କ ସହ ଥିବା ୧୯ ଗାଡ଼ି ଅଚଳ

ଭୋପାଳ,୨୮ା୬:ମଧ୍ୟପ୍ରଦେଶର ରତଲାମ ଜିଲାରେ ଏକ ପେଟ୍ରୋଲ ପମ୍ପ୍‌ରେ ଭେଜାଲ ତେଲ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ସହ ଥିବା ଗାଡ଼ିସମୂହ ମଧ୍ୟରୁ ୧୯ଟି ଗାଡ଼ି ଆଉ ଚାଲି ନ ଥିଲା। ଡିଜେଲରେ ପାଣି ମିଶାଯାଇଥିବା ଜଣାପଡ଼ିବା ପରେ ଉକ୍ତ ପେଟ୍ରୋଲ ପମ୍ପ୍‌କୁ ବନ୍ଦ କରିଦିଆଯାଇଛି। ଶୁକ୍ରବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ରତଲାମ ଜିଲାରେ ଆଞ୍ଚଳିକ ଶିଳ୍ପ, ଦକ୍ଷତା ଏବଂ ନିଯୁକ୍ତି କନ୍‌କ୍ଲେଭ୍‌ ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ଥିବାବେଳେ ଗୁରୁବାର ରାତିରେ ଏଭଳି ଘଟଣା ଘଟିଛି। ଇନ୍ଦୋରରୁ ଆସିଥିବା ଏହି କାର୍‌ଗୁଡ଼ିକ ଷ୍ଟାର୍ଟ ନ ହେବାରୁ ଡ୍ରାଇଭର ସେଗୁଡ଼ିକୁ ରାସ୍ତାରୁ ହଟାଇବାକୁ ବାଧ୍ୟ ହୋଇଥିଲେ। ସୂଚନା ଅନୁଯାୟୀ, ଏହି ଗାଡ଼ିଗୁଡ଼ିକରେ ସମ୍ପୃକ୍ତ ପେଟ୍ରୋଲ ପମ୍ପ୍‌ରୁ ୨୫୦ ଲିଟରରୁ ଊର୍ଦ୍ଧ୍ୱ ଡିଜେଲ ପକାଯାଇଥିଲା। ଭେଜାଲ ଅଭିଯୋଗକୁ ପେଟ୍ରୋଲ ପମ୍ପ୍‌ କର୍ମଚାରୀ ଖଣ୍ଡନ କରିଥିବାବେଳେ ବୋତଲରେ ପୂରାଇବାରୁ ସେଥିରେ ଡିଜେଲ ଓ ପାଣି ସ୍ତର ସ୍ପଷ୍ଟ ଦେଖାଯାଇଥିଲା।