ହିଟଲରଙ୍କ ନରସଂହାରରୁ ବର୍ତ୍ତିଥିଲେ, ପାକିସ୍ତାନୀ ଆତଙ୍କବାଦୀଙ୍କ ଗୁଳିରେ ମଲେ; ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ…

ନୂଆଦିଲ୍ଲୀ,୧୫।୧୨: ଅଷ୍ଟ୍ରେଲିଆର ସିଡନୀସ୍ଥିତ ବଣ୍ଡି ବେଳାଭୂମିରେ ରବିବାର ହନୁକା ଉତ୍ସବ ପାଳନ ସମୟରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ନିଜ ସ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଯାଇ ଆଡଲଫ୍ ହିଟଲରଙ୍କ ନରସଂହାରରୁ ବଞ୍ଚିଥିବା ୮୭ ବର୍ଷୀୟ ଆଲେକ୍ସ କ୍ଲେଟମ୍ୟାନ୍ ପ୍ରାଣ ହରାଇଛନ୍ତି।

ରବିବାର ଅପରାହ୍ନରେ ଆଲେକ୍ସ କ୍ଲେଟମ୍ୟାନ୍ (୮୭) ଓ ତାଙ୍କ ପତ୍ନୀ ଲାରିସା କ୍ଲେଟମ୍ୟାନ୍ ପରିବାର ସହ ହନୁକା ପର୍ବ ପାଳନ କରୁଥିବାବେଳେ ହଠାତ୍ ଗୁଳି ଶବ୍ଦ ଶୁଣାଯାଇଥିଲା। ଗୁଳି ଚାଳନା ହେଉଥିବା ଦେଖିବା ପରେ ଆଲେକ୍ସ ତାଙ୍କ ସ୍ତ୍ରୀ ଲାରିସାଙ୍କୁ ସୁରକ୍ଷା ଦେବା ପାଇଁ ଆଗକୁ ଠିଆ ହୋଇଯାଇଥିଲେ ଏବଂ ସେହି ସମୟରେ ତାଙ୍କ ଦେହରେ ଗୁଳି ବାଜିଥିଲା।

ସର୍ବିଆରେ ଭୟଙ୍କର ପରିସ୍ଥିତିରେ ହୋଲୋକାଷ୍ଟରୁ ବର୍ତ୍ତିଥିବା ଏହି ୟୁକ୍ରେନୀୟ ଯିହୁଦୀ, ନାଜିଙ୍କ କବଳରୁ ବର୍ତ୍ତିଯାଇଥିଲେ ବି ଶେଷରେ ଆତଙ୍କବାଦୀଙ୍କ ଶିକାର ହେଲେ। ଆଲେକ୍ସ ଏହି ଆକ୍ରମଣରେ ପ୍ରାଣ ହରାଇଥିବା ୧୫ ଜଣଙ୍କ ମଧ୍ୟରେ ଅନ୍ୟତମ। ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିମାନଙ୍କ ବୟସ ୧୦ ରୁ ୮୭ ବର୍ଷ ମଧ୍ୟରେ ଥିଲା।

ଗୁଳି ବାଜିବା କ୍ଷଣି ତାଙ୍କ ସ୍ୱାମୀ ତାଙ୍କୁ ସୁରକ୍ଷା ଦେବା ପାଇଁ ଉଠି ଠିଆ ହୋଇଯାଇଥିଲେ ବୋଲି ଆଲେକ୍ସଙ୍କ ପତ୍ନୀ ଲାରିସା କ୍ଲେଟମ୍ୟାନ୍ (ଯିଏ ମଧ୍ୟ ହୋଲୋକାଷ୍ଟରୁ ବର୍ତ୍ତିଥିଲେ) କହିଛନ୍ତି।ଆକ୍ରମଣରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ପୋଲିସ୍ ଅଧିକାରୀ ଏବଂ ୪ ଶିଶୁଙ୍କ ସମେତ ପ୍ରାୟ ୪୦ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଅଭିଯୁକ୍ତ ଦୁଇ ଆତଙ୍କବାଦୀ (ବାପ-ପୁଅ) ଯିଏକି ପାକିସ୍ତାନୀ ବୋଲି ଅଭିଯୋଗ ହୋଇଛି, ସେମାନେ ହନୁକା ପାଳନ କରୁଥିବା ଯିହୁଦୀମାନଙ୍କୁ ଟାର୍ଗେଟ୍ କରି ଗୁଳି ଚଳାଇଥିଲେ।

ଇସ୍ରାଏଲର ପୂର୍ବତନ ମୁଖପାତ୍ର ଏଲନ୍ ଲେଭି କହିଛନ୍ତି ଯେ, ଅଷ୍ଟ୍ରେଲିଆର ଯିହୁଦୀ ସମ୍ପ୍ରଦାୟ ମୁଖ୍ୟତଃ ହୋଲୋକାଷ୍ଟରୁ ବର୍ତ୍ତିଥିବା ଲୋକଙ୍କ ଦ୍ୱାରା ପ୍ରତିଷ୍ଠିତ। ୮୭ ବର୍ଷୀୟ ଆଲେକ୍ସଙ୍କୁ ସିଡନୀରେ ହୋଇଥିବା ଏକ ଯିହୁଦୀ-ବିରୋଧୀ ଆତଙ୍କବାଦୀ ଆକ୍ରମଣରେ ତାଙ୍କ ସ୍ତ୍ରୀଙ୍କୁ ରକ୍ଷା କରିବାକୁ ଯାଇ ହତ୍ୟା କରାଯାଇଛି।