ମୁମ୍ବାଇ,୧୧।୧୧: ଆଫଗାନିସ୍ତାନର ଷ୍ଟାର କ୍ରିକେଟର ରଶିଦ ଖାନ୍ଙ୍କ ଏକ ଫଟୋ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଏହି ଫଟୋଟି ତାଙ୍କର ଏକ ଚ୍ୟାରିଟି ଫାଉଣ୍ଡେସନ୍ର ଶୁଭାରମ୍ଭ କାର୍ଯ୍ୟକ୍ରମର ବୋଲି କିଛି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି, ଯାହା ନେଦରଲାଣ୍ଡ୍ସରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରଶିଦ ଖାନ୍ ଜଣେ ସୁନ୍ଦରୀ ମହିଳାଙ୍କ ସହ ନଜର ଆସିଥିଲେ।
ଫଟୋଟି ସାମ୍ନାକୁ ଆସିବା ପରେ ଲୋକେ ଏହାକୁ ରଶିଦଙ୍କ ପତ୍ନୀ ବୋଲି ଦାବି କରିବା ଆରମ୍ଭ କରିଥିଲେ। ତେବେ ରଶିଦ ଖାନ୍ ନିଜେ ଏହି କଥାର ପୁଷ୍ଟି କରିଛନ୍ତି ଯେ ଭାଇରାଲ୍ ହେଉଥିବା ଫଟୋରେ ଥିବା ମହିଳା ଜଣକ ହେଉଛନ୍ତି ତାଙ୍କର ପତ୍ନୀ।
ପୂର୍ବରୁ ରଶିଦ ଖାନ୍ ୩ ଅକ୍ଟୋବର ୨୦୨୪ରେ କାବୁଲ୍ରେ ବିବାହ କରିଥିଲେ। ତେବେ ଏବେ ସାମ୍ନାକୁ ଆସିଥିବା ଏକ ଇନଷ୍ଟାଗ୍ରାମ୍ ପୋଷ୍ଟରେ ରାଶିଦ ଉଲ୍ଲେଖ କରିଛନ୍ତି ଯେ ସେ ୨ ଅଗଷ୍ଟ ୨୦୨୫ ରେ ନିଜ ପ୍ରିୟ ମହିଳାଙ୍କୁ ବିବାହ କରି ନିଜ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛନ୍ତି। ଏହାପରେ ରଶିଦ ଦ୍ୱିତୀୟ ଥର ବିବାହ କରିଛନ୍ତି କି ନାହିଁ, ସେନେଇ ଚର୍ଚ୍ଚା ଜୋର୍ ଧରିଛି।
ଭାଇରାଲ୍ ଫଟୋକୁ ନେଇ ରଶିଦ୍ ନିଜ ଇନଷ୍ଟାଗ୍ରାମ୍ ପୋଷ୍ଟରେ କହିଛନ୍ତି, “ମୁଁ ନିକଟରେ ମୋର ପତ୍ନୀଙ୍କୁ ଏକ ଚ୍ୟାରିଟି ଇଭେଣ୍ଟକୁ ନେଇଯାଇଥିଲି। ଦୁର୍ଭାଗ୍ୟବଶତଃ, ଲୋକମାନେ ଏହାକୁ ନେଇ ଭିନ୍ନ ଭିନ୍ନ କଥା କହୁଛନ୍ତି। ସତ୍ୟ ହେଉଛି, ସେ ମୋର ପତ୍ନୀ ଏବଂ ଏହା ଲୁଚାଇବା ଭଳି କୌଣସି ଖବର ନୁହେଁ।”
ଅନ୍ୟ କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରଶିଦ୍ ତାଙ୍କ ଦ୍ୱିତୀୟ ପତ୍ନୀଙ୍କୁ ଛାଡପତ୍ର ଦେଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି, କିନ୍ତୁ ଏହାର କୌଣସି ନିର୍ଦ୍ଦିଷ୍ଟ ସୂଚନା ନାହିଁ।
ରଶିଦ ଖାନ୍ ବିଶେଷ କରି ଧଳା ବଲ୍ କ୍ରିକେଟ୍ର ସର୍ବଶ୍ରେଷ୍ଠ କ୍ରିକେଟରମାନଙ୍କ ମଧ୍ୟରୁ ଜଣେ। ସେ ବର୍ତ୍ତମାନ ଟି-୨୦ ଆନ୍ତର୍ଜାତୀୟରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର୍। ସେ ୧୦୮ ଟି-୨୦ ମ୍ୟାଚ୍ରେ ୧୮୨ ୱିକେଟ୍ ନେବା ସହ ଦିନିକିଆରେ ୨୧୦ ୱିକେଟ୍ ଏବଂ ୬ଟି ଟେଷ୍ଟ ମ୍ୟାଚ୍ରେ ୪୫ ୱିକେଟ୍ ନେଇଛନ୍ତି।