ନଳିନୀ ବିଦ୍ୟା ମନ୍ଦିରରେ ଝାଡ଼ାବାନ୍ତି ଆତଙ୍କ: ଜଣେ ଛାତ୍ରୀ ମୃତ, ୪୦ ଗୁରୁତର

ବିଷମ କଟକ, ୩୧।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ଚାଟିକଣା ପଞ୍ଚାୟତରେ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳନିତ ନଳିନୀ ବିଦ୍ୟାମନ୍ଦିରର ହଷ୍ଟେଲରେ ଶୁକ୍ରବାରଠାରୁ ଝାଡ଼ାବାନ୍ତି ବ୍ୟାପିଛି। ଝାଡ଼ାବାନ୍ତିରେ ଜଣେ ୪ର୍ଥ ଶ୍ରେଣୀ ଛାତ୍ରୀଙ୍କ ଶନିବାର ସକାଳେ ମୃତ୍ୟୁ ଘଟିଛି। ମୃତ ଛାତ୍ରୀ ହେଲେ ଭାତପୁର ପଞ୍ଚାୟତର କନଡୀ ଗ୍ରାମର ରାଜେନ୍ଦ୍ର ଉର୍ଲାକାଙ୍କ ଝିଅ ଲଗ୍ନା ଉର୍ଲାକା। ବିଦ୍ୟାଳୟର ୧୦୦ରୁ ଅଧିକ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ୪୦ରୁ ଊର୍ଦ୍ଧ୍ୱ ଛାତ୍ରୀଙ୍କୁ ଶୁକ୍ରବାର ରାତିରେ ବିଷମକଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପ୍ରାୟ ୬୦ ଜଣ ଛାତ୍ରୀଙ୍କୁ ବିଦ୍ୟାଳୟ ପରିସରରେ ସ୍ଥାନୀୟ ଡାକ୍ତରଙ୍କ ଦ୍ୱାରା ଜରୁରିକାଳୀନ ଚିକିତ୍ସା ଯୋଗାଇ ଦିଆଯାଉଛି। ଖାଦ୍ୟ ବିଷାକ୍ତ କିମ୍ବା ଦୂଷିତ ଜଳ ବ୍ୟବହାର ଯୋଗୁ ଏଭଳି ପରିସ୍ଥିତି ଉପୁଜିଥିବା ସନ୍ଦେହ କରାଯାଉଛି। ଖବରପାଇ ରାୟଗଡ଼ା ଜିଲା ସ୍ବାସ୍ଥ୍ୟ ବିଭାଗର ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଞ୍ଚତ୍ଛନ୍ତି। ଦଳ ପକ୍ଷରୁ ସ୍ଥିତିର ଅନୁଧ୍ୟାନ କରାଯିବା ସହ ଆକ୍ରାନ୍ତ ପିଲାଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଉଛି। ବିଦ୍ୟାଳୟର ପାନୀୟ ଜଳ ଓ ଖାଦ୍ୟର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ଜଣାପଡ଼ିଛି। ଲଗ୍ନାଙ୍କ ଦେହ ଅସୁସ୍ଥ ହେବା ପରେ ପରିବାରବର୍ଗ ତାଙ୍କୁ ନିଜ ଗ୍ରାମକୁ ନେଇଥିବା ବେଳେ ସେଠାରେ ଶନିବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ପ୍ରଧାନ ଶିକ୍ଷୟିତ୍ରୀ ଊର୍ମିଳା ଶତପଥୀ କହିଛନ୍ତି। ଏହି ଘଟଣା ପରେ ଅଭିଭାବକମାନେ ଭୟଭୀତ ହୋଇପଡ଼ିଛନ୍ତି।

ଆହୁରି ପଢ଼ନ୍ତୁ…
କାଉନ୍‌ସିଲରଙ୍କ ଘରୁ ଲୁଟ୍‌: ବର୍ଷକର ଝିଅ ବେକରେ ଛୁରୀ ଲଗାଇ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ, ଭୟରେ…

Dharitri – Odisha’s No.1 Odia Daily

Share