ଭାଲୁଟାଲରେ ବ୍ୟାପିଲା ଝାଡ଼ାବାନ୍ତି: ୨୨ ଅସୁସ୍ଥ ୩ ଜଣଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି

ବରଗଡ଼,୨୨।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଭୈନାତୋରା ପଞ୍ଚାୟତ ଅନ୍ତର୍ଗତ ଭାଲୁଟାଲ ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଏପର୍ଯ୍ୟନ୍ତ ଏଥିରେ ଗ୍ରାମର ୨୨ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି ଅନ୍ୟ ୨ଜଣଙ୍କ ଚିକିତ୍ସା ଭୁକ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚାଲିଥିବା ବେଳେ ବାକି ୧୭ଜଣ ଘରେ ରହି ଚିକିତ୍ସିତ ହେଉଥିବା ସୂଚନା ମିଳିଛି। କେଉଁ କାରଣରୁ ଗ୍ରାମରେ ଝାଡ଼ାବାନ୍ତି ବ୍ୟାପୁଛି, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ସ୍ବାସ୍ଥ୍ୟ ବିଭାଗ ଟିମ୍‌ ଗ୍ରାମକୁ ପହଞ୍ଚି ଗ୍ରାମରେ ରହିଥିବା ନଳକୂଅ ପାଣିର ନମୁନା ସହିତ ଅସୁସ୍ଥଙ୍କ ମଳ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଇଣ୍ଟିଗ୍ରେଟେଡ୍‌ ପବ୍ଲିକ ହେଲଥ୍‌ ଲାବରେଟୋରୀ(ଆଇପିଏଚ୍‌ଏଲ୍‌)କୁ ପଠାଇଛି। ପରୀକ୍ଷା ରିପୋର୍ଟ ଆସିବା ପରେ ଝାଡ଼ାବାନ୍ତି ବ୍ୟାପିବାର କାରଣ ଜଣାପଡ଼ିବ ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍‌ଓ) ଡା. କୁବେର ଚନ୍ଦ୍ର ମହାନ୍ତ କହିଛନ୍ତି।
ସୂଚନା ଅନୁଯାୟୀ, ଉପରୋକ୍ତ ଗ୍ରାମରେ ଶୁକ୍ରବାର ରାତିରୁ ଜଣେ ପରେ ଜଣେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିବାରୁ ଗ୍ରାମବାସୀ ଭୟଭୀତ ହୋଇ ପଡ଼ିଥିଲେ। ସେମାନେ ପ୍ରଥମେ ଚିକିତ୍ସା ପାଇଁ ଭୁକ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ପ୍ରାଥମିକ ଚିକିତ୍ସା ପରେ ୧୭ଜଣ ଘରକୁ ଫେରିଥିବାବେଳେ ୩ଜଣଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଥିଲା। ସେହିପରି ଅନ୍ୟ ୨ଜଣ ଭୁକ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି। ଗ୍ରାମର ନଳକୂଅ ପାଣି ଯୋଗୁ ଏହା ବ୍ୟାପିଥିବା ଆଶଙ୍କା କରାଯାଉଛି। ଅନ୍ୟପଟେ ଝାଡ଼ାବାନ୍ତି ବ୍ୟାପୁଥିବା ଖବର ପାଇ ଶନିବାର ସ୍ବାସ୍ଥ୍ୟ ବିଭାଗ ଟିମ୍‌ ଉକ୍ତ ଗ୍ରାମକୁ ପହଞ୍ଚିଥିଲେ ଏବଂ ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରିଥିଲେ। ସେହିପରି ସ୍ଥାନୀୟ ଆଶା, ଅଙ୍ଗନୱାଡ଼ି କର୍ମୀ ଘରକୁ ଘର ବୁଲି ଝାଡ଼ାବାନ୍ତି ନିରାକରଣ ସଚେତନତା କରିବା ସହିତ ଲୋକଙ୍କୁ ବିଭିନ୍ନ ପରାମର୍ଶ ଦେଉଛନ୍ତି। ପ୍ରକାଶଥାଉ କି, ଗତ କିଛିଦିନ ତଳେ ପାଇକମାଳ ବ୍ଲକରେ ଝାଡ଼ାବାନ୍ତି ବ୍ୟାପିଥିଲା। ତାହା ଏବେ ସେଠାରେ ନିୟନ୍ତ୍ରଣାଧୀନ ଥିବା ବେଳେ ସମସ୍ତ ଅସୁସ୍ଥ ଚିକିତ୍ସା ପରେ ଘରକୁ ଫେରିଛନ୍ତି

Share