ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି କି ପ୍ରଯୋଜକଙ୍କ ଫୋନ୍ କଲ୍ ମଧ୍ୟ ରିସିଭ୍ କରୁନାହାନ୍ତି। ତେଣୁ ପୂର୍ୱରୁ ଅକ୍ଷୟଙ୍କ ସହ ନୂଆ ସିନେମା ପାଇଁ ଚୁକ୍ତି କରିଥିବା ମେକର୍ସ ଏବେ ହତାଶ ହୋଇପଡ଼ିଛନ୍ତି। ଏଭଳି ସ୍ଥିତିରେ ‘ଦୃଶ୍ୟମ୍ ୩’ର ପ୍ରଯୋଜନା କରୁଥିବା ପାନୋରାମା ଷ୍ଟୁଡିଓ ପ୍ରଡ୍ୟୁସର କୁମାର ମଙ୍ଗତ ପାଠକ୍ ଅକ୍ଷୟଙ୍କୁ ଆଇନର କାଠଗଡ଼ାକୁ ଟାଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
ପ୍ରଥମେ ‘ଛାବା’ ଆଉ ଏବେ ‘ଧୁରନ୍ଧର’। ଲଗାତର ୨ଟି ହିଟ୍ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଣ୍ଟୁଥିବା ବଲିଉଡ୍ ଅଭିନେତା ଅକ୍ଷୟ ଖାନ୍ନାଙ୍କୁ ଆଉ ଦୃଶ୍ୟମ୍ ସିକ୍ୱେଲର ତୃତୀୟ ପ୍ରୋଜେକ୍ଟରେ ଦେଖିବାକୁ ମିଳିବ ନାହିଁ। ବିଶେଷକରି ‘ଧୁରନ୍ଧର’ର ବକ୍ସ ଅଫିସ କଲେକ୍ସନ ୧୦୦ କୋଟି ଟଙ୍କା ପାର୍ କରିବା ପରେ ଅକ୍ଷୟ ଆଉ ଲୋ ବଜେଟ୍ରେ କାମ ନ କରିବାକୁ ପଣ କରିଛନ୍ତି। ତେଣୁ ‘ଦୃଶ୍ୟମ୍ ୩’ ପାଇଁ ନିଜ ପ୍ରାଇସ୍ ପ୍ରାୟ ୩ ଗୁଣା ଅର୍ଥାତ୍ ୨୧ କୋଟି ଟଙ୍କାକୁ ବଢ଼ାଇ ଦେଇଛନ୍ତି। ଏନେଇ ସହପ୍ରଯୋଜକ କୁମାର ମଙ୍ଗତ କହିଛନ୍ତି, ‘ଦୃଶ୍ୟମ୍ ୩’ର ପୋଲିସ ଆଇଜି ତରୁଣ ଅହଲାଓ୍ୱତ୍ ଚରିତ୍ରରେ ଅକ୍ଷୟ ଆଉ ନିଜ ଚନ୍ଦାପଣ ଦେଖାଇବାକୁ ଚାହୁଁନାହାନ୍ତି। ହେୟାର ଷ୍ଟାଇଲ୍କୁ ନେଇ ଏପରି ମତଭେଦ ରହିଛି। ଅଜୟ ଦେବଗନ୍ଙ୍କ ଅଭିନୀତ ନୂଆ ଫିଲ୍ମର ରିଲିଜ୍ ଡେଟ୍ ଘୋଷଣା ପରଠୁ ଅକ୍ଷୟ ଆଉ ତାଙ୍କ ଫୋନ୍ କଲ୍ ଉଠାଉନାହାନ୍ତି। ଅକ୍ଷୟ ଚୁକ୍ତି ଖିଲାପ କରିଥିବାରୁ ତାଙ୍କୁ ଲିଗାଲ ନୋଟିସ ପଠାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କୁମାର ମଙ୍ଗତ ମିଡିଆକୁ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ଡିସେମ୍ୱର ୫ରେ ମୁକ୍ତିଲାଭ କରିଥିବା ଆଦିତ୍ୟ ଧରଙ୍କ ‘ଧୁରନ୍ଧର’ରେ ରଣବୀର ସିଂ, ସଞ୍ଜୟ ଦତ୍ତ, ଆର୍. ମାଧବନ୍ ଓ ଅର୍ଜୁନ ରାମପାଲଙ୍କ ଭଳି ଷ୍ଟାରଙ୍କ ଚମକ ଅକ୍ଷୟ ଖାନ୍ନାଙ୍କ ଅଭିନୟ ଆଗରେ ଫିକା ପଡ଼ିଯାଇଛି। ପାକିସ୍ତାନର କରାଚୀସ୍ଥିତ ଲ୍ୟାରିରେ ଆପରାଧିକ ନେଟ୍ଓ୍ୱର୍କକୁ ନେଇ ଏହି ଫିଲ୍ମର କାହାଣୀ ଗତିଶୀଳ ହୋଇଛି। ଏଥିରେ ରହମାନ ଡକୈତ ଭୂମିକାରେ ନିଖୁଣ ଅଭିନୟ ପରେ ଅକ୍ଷୟଙ୍କ ଡିମାଣ୍ଡ ବଢ଼ିଯାଇଛି। ଧୁରନ୍ଧର ନିର୍ମାତା ୨୦୨୬ ମାର୍ଚ୍ଚରେ ଏହାର ସିକ୍ୱେଲ ଆଣିବା ନେଇ ଘୋଷଣା କରିସାରିଥିବାବେଳେ ‘ଡକାୟତ’ ଅକ୍ଷୟ ଖାନ୍ନାଙ୍କ ମନୋପଲିକୁ ଆଦରି ନେଇଛନ୍ତି ଦର୍ଶକେ। କିନ୍ତୁ ପ୍ରଡ୍ୟୁସର୍ସ ଏହାକୁ ଗ୍ରହଣ କରିପାରିନାହାନ୍ତି।