Categories: Home Leftଖେଳ

ଧୋନୀଙ୍କ ଅବସର ପରେ କ’ଣ କଲେ ଏହି ପାକିସ୍ତାନୀ ପ୍ରଶଂସକ

ନୂଆଦିଲ୍ଲୀ, ୧୭।୮: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୭୪ତମ ସ୍ବାଧିନତା ଦିବସ ଅବସରରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ଗ୍ରହଣ କରି ନିଜର ଅଗଣିତ ପ୍ରଶଂସକଙ୍କୁ ଚକିତ କରିଦେଇଛନ୍ତି। ଧୋନୀଙ୍କ ଏହି ନିଷ୍ପତ୍ତି ପରେ ପାକିସ୍ତାନରେ ଜନ୍ମିତ ତାଙ୍କର ସବୁଠାରୁ ବଡ଼ ପ୍ରଶଂସକ ମହମ୍ମଦ ବସିର ବୋଜାଇ ମଧ୍ୟ ଅବସର ଘୋଷଣା କରିଛନ୍ତି। ବିଶ୍ୱ କ୍ରିକେଟ୍‌ରେ ‘ଚାଚା ଚିକାଗୋ’ ନାମରେ ପରିଚିତ ବସିର ଭାରତ ଓ ପାକିସ୍ତାନ ମଧ୍ୟରେ ଆଉ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ ଦେଖି ନ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ଧୋନୀଙ୍କ ଅବସର ପରେ ବିଶ୍ୱ କ୍ରିକେଟ୍‌ର ଅନ୍ୟତମ ଦୁଇ ଶ୍ରେଷ୍ଠ ଦଳ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଦେଖିବାର ଆଉ କୌଣସି ମୂଲ୍ୟ ନାହିଁ ବୋଲି ବସିର କହିଛନ୍ତି। ଏକ ସାକ୍ଷାତ୍‌କାର ଅବସରରେ ଏହି ପାକିସ୍ତାନୀ ପ୍ରଶଂସକ କହିଛନ୍ତି, ‘ଧୋନୀ ଅବସର ନେଇଛନ୍ତି, ଆଉ ମୁଁ ମଧ୍ୟ। ସେ ଖେଳୁ ନ ଥିବାରୁ ଆଉ ମ୍ୟାଚ୍‌ ଦେଖିବାକୁ ଯିବିନି। ସମସ୍ତ ମହାନ ଖେଳାଳିଙ୍କୁ ଗୋଟିଏ ଦିନ ଅବସର ନେବାକୁ ପଡ଼ିବ। କିନ୍ତୁ ଧୋନୀଙ୍କ ଅବସର ମୋତେ ଦୁଃଖ ଦେଇଛି। ସେ ଏକ ଚମତ୍କାର ବିଦାୟ ପାଇବାର ହକଦାର ଥିଲେ।’ ୨୦୧୧ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ବିଶ୍ୱକପ୍‌ ସେମିଫାଇନାଲ ମ୍ୟାଚ୍‌ରେ ବସିର ଟିକେଟ୍‌ ପାଇବାରୁ ବଞ୍ଚିତ ହୋଇଥିଲେ। କିନ୍ତୁ ଧୋନୀ ତାଙ୍କ ପାଇଁ ଏକ ଟିକେଟ୍‌ ଯୋଗାଡ଼ କରିଦେଇଥିଲେ। ଫଳରେ ବସିର ଏହି ହାଇଭୋଲଟେଜ ମ୍ୟାଚ୍‌ ଦେଖିପାରିଥିଲେ। ୩ଥର ହାର୍ଟଆଟାକ୍‌ର ଶିକାର ହୋଇଥିବା ବସିର ଆଗାମୀ ଦିନରେ କରୋନା ସ୍ଥିତି ସ୍ବାଭାବିକ ହେଲାପରେ ରାଞ୍ଚି ଆସି ଧୋନୀଙ୍କୁ ସାକ୍ଷାତ୍‌ କରିବା ଲାଗି ଯୋଜନା କରିଛନ୍ତି। ବସିର ଆମେରିକାର ଚିକାଗୋରେ ଏକ ରେଷ୍ଟୁରାଷ୍ଟ ଚଳାଉଛନ୍ତି।

Share