ଢ଼େଙ୍କାନାଳ,୨୪।୪(ରତନ ନାୟାର): ଢେଙ୍କାନାଳ ପୋଲିସ ଓ ଜଣେ ଦୂର୍ଦ୍ଧଷ ଅପରାଧି ମଧ୍ୟରେ ବୁଧବାର ବିଳମ୍ବିତ ରାତିରେ ଗୁଳି ବିନିମୟ ହୋଇଛି । ଏହି ଘଟଣାରେ ଜିଲାର କାମାକ୍ଷାନଗର ଅଞ୍ଚଳ ରେ ଅପରାଧ କରି ଆତଙ୍କ ସୃଷ୍ଟି କରିଥିବା କିଙ୍ଗ ଅଫ ଫରେଷ୍ଟ ଗ୍ୟାଙ୍ଗର ଜଣେ ଫେରାର ସଦସ୍ୟ ହୁଣ୍ଡ ଓରଫ ଦେବାଶିଶ ବେହେରା (୨୯) ଆହତ ହୋଇଛନ୍ତି। ତାଙ୍କର ଡାହାଣ ଗୋଡ଼ରେ ଗୁଳି ଲାଗିଛି। ତାଙ୍କୁ ଆହତ ଅବସ୍ଥାରେ ପୋଲିସ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଦେବାଶିଷ ନିଜର ସହଯୋଗୀ ଲିପୁନଙ୍କ ସହ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରି ଅପରାଧ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ଖବରପାଇ ସଦର ଥାନା ପୋଲିସ ତାଙ୍କୁ କାଙ୍କଡ଼ ପାଳରୁ ମଙ୍ଗଳପୁର ପର୍ଯ୍ୟନ୍ତ ଗୋଡ଼ାଇଥିଲେ । ଢ଼େଙ୍କାନାଳ- ଭାପୁର ରାସ୍ତାର ମଙ୍ଗଳପୁର ଗ୍ରାମର ରାସ୍ତାକଡ଼ରେ ଥିବା ବଣ ବୁଦା ମଧ୍ୟରେ ଦେବାଶିଷ ପୋଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି ମାଡ଼ କରିଥିଲେ । ପୋଲିସ ପକ୍ଷରୁ ପାଇଟା ଗୁଳି ଚାଳନା ହେବାରୁ ଦେବାଶିଷ ବାଇକରୁ ଖସି ପଡ଼ିଥିଲେ । ଏହାପରେ ପୋଲିସ ଏନକାଉଣ୍ଟର କରିଥିଲେ । ଦେବାଶିଷଙ୍କ ସହଯୋଗୀ ଲିପୁନ ବାଇକ ସହ ଫେରାର ହୋଇଯାଇଛି । ଘଟଣା ସ୍ଥଳରୁ ଏକ ବନ୍ଧୁକକୁ ପୋଲିସ ଜବତ କରିଛି । ଦେବାଶିଷଙ୍କ ନାମରେ ଜିଲାର ବିଭିନ୍ନ ଥାନାରେ ପ୍ରାୟ ୧୮ ଟି ଅପହରଣ, ଲୁଟ, ଦାଦାବାଟି ଆଦାୟ, ଗୁଳିମାଡ଼ କରିବା ଭଳି ଅପରାଧ ରହିଛି । ଭାପୁର ଫାଣ୍ଡି ଅଧିକାରୀ ପ୍ରଦିପ ପାତ୍ର ଏନକାଉଣ୍ଟର କରିଥିବା ଜଣାପଡ଼ିଛି । ଘଟଣା ସଂପର୍କ ରେ ଅତିରିକ୍ତ ଏସପି ସୂର୍ଯ୍ୟମଣି ପ୍ରଧାନ ସୂଚନା ଦେଇଛନ୍ତି ।