ହେମାମାଳିନୀଙ୍କୁ ବିବାହ ପାଇଁ  ଏମିତି କଷ୍ଟ କରିଥିଲେ ଧର୍ମେନ୍ଦ୍ର: ସିଧା ବିମାନରେ ଯାଇ…

ବଲିଉଡ ଭେଟେରାନ ଅଭିନେତା ଧର୍ମେନ୍ଦ୍ରଙ୍କ ୮୯ ବର୍ଷ ବୟସରେ ପରଲୋକ ଘଟିଛି। ଆଉ କେଇଟା ଦିନ ପରେ ଡିସେମ୍ବର ୮ରେ ସେ ତାଙ୍କର ଜନ୍ମଦିନ ପାଳନ କରିଥାନ୍ତେ। ଧର୍ମେନ୍ଦ୍ର ତାଙ୍କର ଚମତ୍କାର ଅଭିନୟ କରି ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ଦେଶ ତଥା ବିଦେଶରେ ତାଙ୍କର ବହୁତ ପ୍ରଶଂସକ ଅଛନ୍ତି।  ସେ ଅନେକ ଫିଲ୍ମରେ ତାଙ୍କ ଅଭିନୟର ଯାଦୁ ଦେଖାଇଛନ୍ତି। ତେବେ ତାଙ୍କ ବ୍ୟକ୍ତିଗତ ଜୀବନ ଏକ ଚଳଚ୍ଚିତ୍ରଠାରୁ କିଛି କମ୍‌  ନ ଥିଲା।
ଏକ ସମୟ ଥିଲା ଯେତେବେଳେ ହେମାମାଳିନୀଙ୍କୁ ସେ ତାଙ୍କ ମନ ଦେଇ ବସିଥିଲେ। ଆଉ ହେମା ଅଭିନେତା ଜିତେନ୍ଦ୍ରଙ୍କୁ ବିବାହ କରିବାକୁ ଯାଉଥିଲେ। ସେତେବେଳେ ସେ ଧର୍ମେନ୍ଦ୍ରଙ୍କ ସହ ଥିବା ସମ୍ପର୍କକୁ ନେଇ ଟେନଶନରେ ଥିଲେ। ପରିବାର ସଦସ୍ୟ ହେମା ଏବଂ ଜିତେନ୍ଦ୍ରଙ୍କ ବିଷୟରେ କଥାବାର୍ତ୍ତା କରୁଥିବାବେଳେ ଧର୍ମେନ୍ଦ୍ର ହେମାଙ୍କ ସହ ଫୋନରେ କଥା ହୋଇଥିଲେ ଏବଂ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ତାଙ୍କ ସହ ଥରେ ସାକ୍ଷାତ କରିବାକୁ କହିଥିଲେ। ଜିତେନ୍ଦ୍ର ତିରୁପତି ମନ୍ଦିରକୁ ଯାଇ ହେମାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ତା’ପରଦିନ ଧର୍ମେନ୍ଦ୍ର ବିମାନରୁ ସିଧାସଳଖ ଯାଇ ଚେନ୍ନାଇର ହେମାଙ୍କ ଘରେ ପହଞ୍ଚିଥିଲେ। ହେମାଙ୍କୁ ବିବାହ କରିବାକୁ ଜିତେନ୍ଦ୍ରଙ୍କ ଥିବା ଇଚ୍ଛା ପୂରଣ ହୋଇ ନ ଥିଲା।
ଧର୍ମେନ୍ଦ୍ର ଧର୍ମ ପରିବର୍ତ୍ତନ କରି ହେମାଙ୍କୁ ବିବାହ କରିଥିଲେ। ସେହି ସମୟରେ ଧର୍ମେନ୍ଦ୍ରଙ୍କ ପ୍ରଥମ ସ୍ତ୍ରୀ ତାଙ୍କୁ ଛାଡପତ୍ର ଦେବାକୁ ମନା କରିଦେଇଥିଲେ ତେଣୁ ଉଭୟେ ଧର୍ମ ପରିବର୍ତ୍ତନ କରି ବିବାହ କରିଥିଲେ।
୧୯୫୪ରେ ଧର୍ମେନ୍ଦ୍ର ଜଣେ ପଞ୍ଜାବୀ ଝିଅ ପ୍ରକାଶ କୌରଙ୍କୁ ମାତ୍ର ୧୯ବର୍ଷ ବୟସରେ ବିବାହ କରିଥିଲେ।  ପରେ ସେ ମୁମ୍ବାଇ ଯାଇ ଫିଲ୍ମରେ କ୍ୟାରିୟର ଆରମ୍ଭ କରିଥିଲେ। ପ୍ରଥମ ସ୍ତ୍ରୀଙ୍କର ଦୁଇ ପୁଅ ଏବଂ ଦୁଇ ଝିଅ ଥିବା ବେଳେ ହେମାଙ୍କ ସହିତ ତାଙ୍କର ଦୁଇ ଝିଅ ଇଶା ଦେଓଲ ଏବଂ ଅହାନା ଦେଓଲ ଅଛନ୍ତି।
Dharitri – Odisha’s No.1 Odia Daily

Share