Categories: Homeଜାତୀୟ

ପୁଣି ତାମିଲନାଡୁ ସରକାରଙ୍କୁ ସମାଲୋଚନା କଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ,୧୧ା୩: ବିରୋଧୀଙ୍କ ସମାଲୋଚନା ସତ୍ତ୍ୱେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆ ଜାତୀୟ ଶିକ୍ଷାନୀତି (ଏନ୍‌ଇପି) ଉପରେ ତାମିଲନାଡୁ ସରକାରଙ୍କ ଆଭିମୁଖ୍ୟକୁ ନେଇ ମଙ୍ଗଳବାର ପୁଣିଥରେ ଲୋକ ସଭାରେ ବର୍ଷିଛନ୍ତି। ଏମ୍‌.କେ. ଷ୍ଟାଲିନ୍‌ ସରକାର ରାଜ୍ୟରେ ତାମିଲ ଭାଷାର ବିକାଶ ପାଇଁ କିଛି ନ କରି ତ୍ରିଭାଷୀ ସୂତ୍ରକୁ ନେଇ ଭୟ ସୃଷ୍ଟିର ପାଗଳାମୀ କରୁଛନ୍ତି। ତାମିଲନାଡୁର ସରକାରୀ ବିଦ୍ୟାଳୟଗୁଡ଼ିକରେ ତାମିଲ ଭାଷା କମୁଥିବାବେଳେ ଉପନିବେଶୀୟ ଭାଷା ବଢ଼ୁଛି। ସେଠାର ୬୭ ପ୍ରତିଶତ ପିଲା ଇଂଲିଶ ମିଡିୟମ ସ୍କୁଲ୍‌ରେ ପଢ଼ୁଥିବାବେଳେ ତାମିଲ ମାଧ୍ୟମ ସ୍କୁଲରେ ନାମଲେଖା ୩୬ ପ୍ରତିଶତକୁ ହ୍ରାସ ପାଇଛି। ସରକାରୀ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକରେ ତାମିଲ ଛାତ୍ରୀଛାତ୍ରଙ୍କ ନାମଲେଖା ୭.୩ ଲକ୍ଷ ହ୍ରାସ ପାଇଛି। କେନ୍ଦ୍ର ସରକାର କୌଣସି ରାଜ୍ୟରେ କୌଣସି ଭାଷାକୁ ଲଦିଦେବାକୁ ଉଦ୍ୟମ କରୁନାହାନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି। ପିଏମ୍‌ ସ୍କୁଲ୍ସ ଫର୍‌ ରାଇଜିଂ ଇଣ୍ଡିଆ (ପିଏମ୍‌ଶ୍ରୀ) ଯୋଜନା କାର୍ଯ୍ୟକାରୀ ପ୍ରସଙ୍ଗରେ ତାମିଲନାଡୁ ସରକାର ଅସାଧୁ ଓ ଅସଭ୍ୟ ବୋଲି ଧର୍ମେନ୍ଦ୍ର ସୋମବାର କହିବାରୁ ଡିଏମ୍‌କେ ସଦସ୍ୟମାନେ ଏହାର ଦୃଢ଼ ପ୍ରତିବାଦ କରି ଗୃହରେ ହଟ୍ଟଗୋଳ କରିଥିଲେ। ସମାଲୋଚନା ପରେ ସେ ବ୍ୟବହାର କରିଥିବା ଶବ୍ଦ ପ୍ରତ୍ୟାହାର କରିନେବା ସହ ବାଚସ୍ପତି ଏହାକୁ ରେକର୍ଡରୁ ବାଦ୍‌ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସତ୍ତ୍ୱେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ ଶିକ୍ଷାମନ୍ତ୍ରୀଙ୍କୁ ଅହଂକାରୀ ଏବଂ ନିଜ ତୁଣ୍ଡରେ ଲଗାମ ଦିଅନ୍ତୁ କହି କଡ଼ା ସମାଲୋଚନା କରିଥିଲେ। ଧର୍ମେନ୍ଦ୍ର ବ୍ୟବହାର କରିଥିବା ଶବ୍ଦକୁ ନେଇ ଅନ୍ୟ ବିରୋଧୀ ଦଳଗୁଡ଼ିକ ମଧ୍ୟ ଆପତ୍ତି ଉଠାଇଥିଲେ।

Share