ଧର୍ମଶାଳା ରାଜନୀତି ସରଗରମ: ପ୍ରଥମଥର ଏକାଠି ବସିଲେ ବିଧାୟକ, ବ୍ଲକ୍‌ ଅଧ୍ୟକ୍ଷ

ଧର୍ମଶାଳା/କାଏମା,୨୬ା୨(ବଟକୃଷ୍ଣ ପରିଡ଼ା/ଶିବପ୍ରସାଦ ମହାନ୍ତି):ଧର୍ମଶାଳା ପଞ୍ଚାୟତ ସମିତିର ୯ମ ସାଧାରଣ ଅଧିବେଶନ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଥମ ଥର ଏକାଠି ବସିଛନ୍ତି ବିଧାୟକ ହିମାଂଶୁ ଶେଖର ସାହୁ ଓ ବ୍ଲକ୍‌ ଅଧ୍ୟକ୍ଷ ପ୍ରଭାତ। ବୈଠକରେ ବ୍ଲକରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟଉପରେ ଗୁରୁତ୍ୱ ଦିଆଯାଇଛି। ଏହି ଅବସରରେ ମାର୍ଚ୍ଚରୁ ଜୁନ୍‌ ମଧ୍ୟରେ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ୮୦ଟି ପାଣି ଟ୍ୟାଙ୍କର ମାଧ୍ୟମରେ ଗାଁଗାଁରେ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ବ୍ୟବସ୍ଥା କରାଯାଇଥିବା ବିଧାୟକ ସୂଚନା ଦେଇଛନ୍ତି। ଏଥିସହିତ ବିଧାୟକ ଉନ୍ନୟନମୂଳକ କାର୍ଯ୍ୟ ସମ୍ପାଦନ ପାଇଁ ସମସ୍ତ ପଞ୍ଚୟତ ସମିତି ସଭ୍ୟାସଭ୍ୟଙ୍କ ସହଯୋଗ ଲୋଡ଼ିଛନ୍ତି।
ସୂଚନାଯୋଗ୍ୟ, ଉକ୍ତ ଅଧିବେଶନ ପ୍ରତି ଦୁଇ ମାସ ବ୍ୟବଧାନରେ ହେବା ବଦଳରେ ୧୨ ମାସ ହେବ ବନ୍ଦ ରହିଥିଲା। ୨୦୨୪ ନିର୍ବାଚନ ଶେଷ ହେବାର ନଅ ମାସ ପରେ ବୈଠକ ଅନୁଷ୍ଠିତ ହୋଇଛି। ଇତିମଧ୍ୟରେ ସରକାର ପରିବର୍ତ୍ତନ ହେବାରୁ ଅଧିବେଶନକୁ ନେଇ ବିଭିନ୍ନ ଆଲୋଚନା ହେଉଥିଲା। ବ୍ଲକ ଅଧ୍ୟକ୍ଷ ବିଜେଡି ସମର୍ଥିତ ଥିବାରୁ ପଞ୍ଚାୟତ ସମିତି ବୈଠକ ପାଇଁ ଉଦ୍ୟମ ହେଉ ନ ଥିଲା। ଏ ନେଇ ପୂର୍ବତନ ବିଧାୟକ ତଥା ବ୍ଲକ ଅଧ୍ୟକ୍ଷଙ୍କ ଭାଇ ପ୍ରଣବ ବଳବନ୍ତରାୟ ଖବରଦାତା ସମ୍ମିଳନୀ କରି ବିଧାୟକ ହିମାଂଶୁଙ୍କୁ ଟାର୍ଗେଟ କରିଥିଲେ। ଏବେ ବ୍ଲକ ଅଧ୍ୟକ୍ଷ ଓ ବିଧାୟକ ଏକାଠି ହେବା ଧର୍ମଶାଳା ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି।