ସୋସିଆଲ ମିଡିଆରେ ଏକ ପ୍ରକାର ଝଡ଼ ସୃଷ୍ଟି କରିଥିବା ‘ଆଦ୍ ମୀ ଚୁତିୟା ହୈ, କୁଛ୍ ଭି ଚାହତା ହୈ’ ଭାଇରାଲ ଗୀତ ପଛରେ ଥିବା କଣ୍ଠର ଯାଦୁକର ହେଉଛନ୍ତି ରାହଗିର। ତାଙ୍କର ପ୍ରକୃତ ନାମ ସୁନୀଲ କୁମାର ଗୁର୍ଜ୍ଜର। ୧୯୯୩ ମେ ୧୮ରେ ରାଜସ୍ଥାନର ସିକରରେ ଜନ୍ମିତ ଏହି ବ୍ୟକ୍ତିତ୍ୱ ଏକାଧାରରେ କଣ୍ଠଶିଳ୍ପୀ, ଗୀତିକାର ଏବଂ ସଙ୍ଗୀତକାର। ‘ଆଦ୍ ମୀ ଚୁତିୟା ହୈ’ ଗୀତଟି ୟୁଟ୍ୟୁବ୍ ଚ୍ୟାନେଲରେ ୬ ନିୟୁତରୁ ଅଧିକ ଭ୍ୟୁ ଏବଂ ସ୍ପଟିଫାଏରେ ୧୦ନିୟୁତରୁ ଅଧିକ ଷ୍ଟ୍ରିମ୍ ସହିତ ଭାଇରାଲ ହିଟ୍ ହୋଇଛି। ‘ଫୁଲଁ କି ଲାଶୋଁ ମେଁ ତାଜଗି ଚାହତା ହୈ, ଆଦ୍ ମୀ ଚୁତିୟା ହୈ, କୁଛ୍ ଭି ଚାହତା ହୈ’ ଏକ ଟ୍ରେଣ୍ଡ ହୋଇଗଲା। ରାହଗିରଙ୍କ ସଙ୍ଗୀତ ଯାତ୍ରା ସେତେ ସହଜ ନ ଥିଲା। ରାଜସ୍ଥାନର ଏକ ଗାଁରେ ପିଲାଦିନ ବିତାଇବା ସହ ଇନ୍ଦିରା ସିନିୟର ସେକେଣ୍ଡାରି ସ୍କୁଲରୁ ପ୍ରାରମ୍ଭିକ ଶିକ୍ଷା ଲାଭ କରିଥିଲେ। ସେ ତାଙ୍କ ପରିବାରରେ ପ୍ରଥମ ବ୍ୟକ୍ତି ଥିଲେ, ଯିଏ କି ଇଞ୍ଜିନିୟର ହୋଇଥିଲେ। ଜଣେ ସଫ୍ଟଓ୍ବେର ଇଞ୍ଜିନିୟର ଭାବେ ପ୍ରାୟ ଦେଢ ବର୍ଷ ଧରି ସେ ଉଚ୍ଚ ବେତନର ଚାକିରି କରିଥିଲେ। ମାତ୍ର ୨୦୧୬ରେ ସଙ୍ଗୀତ ପ୍ରତି ତାଙ୍କର ଅହେତୁକ ଆଗ୍ରହକୁ ଗୁରୁତ୍ୱ ଦେଇ ସେ ଚାକିରି ଛାଡ଼ିଥିଲେ। ବବ୍ ଡିଲାନ ଏବଂ ଜନି କ୍ୟାଶ୍ଙ୍କ ଭଳି କିମ୍ବଦନ୍ତୀ ସଙ୍ଗୀତଜ୍ଞଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେ କବିତା ଲେଖିବା ଆରମ୍ଭ କରିଥିଲେ ଏବଂ ସେଗୁଡ଼ିକ ଗୀତରେ ପରିଣତ ହୋଇଥିଲା। ‘ଅସ୍ଲି ଦୋପହର’, ‘ତନ୍ ଖା ଗୟି ୟେ ତନ୍ଖା’ ଭଳି ଗୀତଗୁଡ଼ିକରେ ସାମାଜିକ ବାର୍ତ୍ତା ରହିଛି। ତାଙ୍କର ପ୍ରାୟତଃ କାବି୍ୟକ ପଦ୍ୟରେ ସାମାଜିକ ସମସ୍ୟାଗୁଡ଼ିକର ସମାଧାନ ଭରି ରହିଥାଏ। ନଭେମ୍ବର ୨୪ରେ ଧରିତ୍ରୀ ଯୁବ ସମ୍ମିଳନୀରେ ରାହଗିର ଉପସ୍ଥିତ ସକଳଙ୍କ ନିକଟରେ ତାଙ୍କର ଶକ୍ତିଶାଳୀ ବାର୍ତ୍ତା ଏବଂ ଅର୍ଥପୂର୍ଣ୍ଣ ସଙ୍ଗୀତ ପରିବେଷଣ କରିବେ।