Dharitri Youth Conclave 2025: ଜୀବବିଜ୍ଞାନୀ ପୂର୍ଣ୍ଣିମା ଦେବୀ ବର୍ମନ

ଆସାମର ପୂର୍ଣ୍ଣିମା ଦେବୀ ବର୍ମନ ଜଣେ ପ୍ରସିଦ୍ଧ ବନ୍ୟପ୍ରାଣୀ ଜୀବବିଜ୍ଞାନୀ। ବଗ ବା ସାରସ ପ୍ରଜାତିର ପକ୍ଷୀ(ସ୍ଥାନୀୟ ଭାଷାରେ ‘ହରଗିଲା’ ପକ୍ଷୀ ଭାବରେ ଜଣାଶୁଣା)ର ସଂରକ୍ଷଣ ପାଇଁ ସେ ବେଶ୍‌ ପ୍ରସିଦ୍ଧ। ପକ୍ଷୀ ସଂରକ୍ଷଣ ପାଇଁ ସେ ହରଗିଲା ସେନା ଗଠନ କରିଛନ୍ତି। ମହିଳାମାନଙ୍କୁ ନେଇ ଗଠିତ ଏହି ସେନାର ପୂର୍ଣ୍ଣିମା ନେତୃତ୍ୱ ନେଉଛନ୍ତି, ଯାହା କେବଳ ଏକ ବିଲୁପ୍ତପ୍ରାୟ ପ୍ରଜାତିକୁ ସୁରକ୍ଷା ଦେଇନାହିଁ ବରଂ ତାଙ୍କ ସମ୍ପ୍ରଦାୟର ମହିଳାମାନଙ୍କୁ ପରିବେଶ ସଂରକ୍ଷଣରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ମଧ୍ୟ ସଶକ୍ତ କରିପାରିଛି।
୨୦୦୭ରେ ଜଣେ ସଂରକ୍ଷଣବାଦୀ ଭାବରେ ପୂର୍ଣ୍ଣିମା ତାଙ୍କର ଯାତ୍ରା ଆରମ୍ଭ କରିଥିଲେ। ସେତେବେଳେ ତାଙ୍କୁ ଏକ ଗଛ କଟାଯିବା ନେଇ ସତର୍କ କରାଯାଇଥିଲା। ଆଉ ଉକ୍ତ ଗଛଟି ଗ୍ରେଟର ଆଡ୍‌ଜୁଟାଣ୍ଟ ଷ୍ଟର୍କ ବା ହରଗିଲା ପକ୍ଷୀଙ୍କ ବାସସ୍ଥାନ ଥିଲ। ସେହି ସ୍ଥାନରେ ପୂର୍ଣ୍ଣିମା ପହଞ୍ଚତ୍ବା ପରେ, ସେ ଦେଖିଲେ ଯେ ହରଗିଲା ପକ୍ଷୀଙ୍କ ବସା ଭୂମିରେ ପଡ଼ିଯାଇଛି। ସ୍ଥାନୀୟ ଅଞ୍ଚଳର ବିଶ୍ୱାସ ଅନୁସାରେ କୌଣସି ପକ୍ଷୀ ବସା ତଳେ ପଡ଼ିଯିବା ଏକ ଖରାପ ଲକ୍ଷଣ। ଅର୍ଥାତ୍‌ ଉକ୍ତ ପକ୍ଷୀ ସମୁଦାୟର ବଞ୍ଚତ୍ବା ବିପଦରେ। ପୂର୍ଣ୍ଣିମା ଉକ୍ତ ଗଛକଟାକୁ ତୀବ୍ର ବିରୋଧ କରିଥିଲେ। ଏଥିପାଇଁ ତାଙ୍କୁ ତାଙ୍କ ସମ୍ପ୍ରଦାୟର କ୍ରୋଧର ଶିକାର ମଧ୍ୟ ହେବାକୁ ପଡ଼ିଥିଲା। ଏହା ସତ୍ତ୍ୱେ ସେ ପକ୍ଷୀମାନଙ୍କୁ ସୁରକ୍ଷା ଦେବାକୁ ଦୃଢ଼ନିଶ୍ଚିତ ହୋଇ ତାଙ୍କର ଜୀବନବ୍ୟାପୀ ମିଶନ ଆରମ୍ଭ କରିଥିଲେ।
ପୂର୍ଣ୍ଣିମା ହରଗିଲା ସେନା ମାଧ୍ୟମରେ ୨୦,୦୦୦ ମହିଳାଙ୍କ ଏକ ବଡ଼ ନେଟ୍‌ୱର୍କ ଗଠନ କରିଛନ୍ତି, ଯେଉଁମାନେ ସକ୍ରିୟ ଭାବରେ ସାରସ ପକ୍ଷୀଙ୍କ ବସାକୁ ସୁରକ୍ଷା ଦେବା ପାଇଁ କାର୍ଯ୍ୟ କରନ୍ତି। ଏହି ଅନନ୍ୟ ପ୍ରଜାତିକୁ ସଂରକ୍ଷଣର ଗୁରୁତ୍ୱ ବିଷୟରେ ଲୋକମାନଙ୍କୁ ଶିକ୍ଷା ଦିଅନ୍ତି। ସେମାନଙ୍କ ସାମୂହିକ ପ୍ରୟାସ ସାରସ ପକ୍ଷୀଙ୍କୁ ସୁରକ୍ଷା ଦେବାରେ ଏବଂ ସେମାନଙ୍କ ସଂଖ୍ୟା ବୃଦ୍ଧି କରିବାରେ ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିପାରିଛି। ଏକଦା ଗୋଟେ ଅଞ୍ଚଳରେ ବିଲୁପ୍ତପ୍ରାୟ ହୋଇଯାଉଥିବା ସାରସ ପ୍ରଜାତିର ପକ୍ଷୀଙ୍କ ସଂଖ୍ୟା ଏବେ ୧,୮୦୦ରୁ ଅଧିକ ହୋଇଗଲାଣି। ପୂର୍ଣ୍ଣିମାଙ୍କ ଏହି କାର୍ଯ୍ୟ ବା ରୂପାନ୍ତରଣ ଯୋଗୁ ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ (ଆଇୟୁସିଏନ୍‌)କୁ ହରଗିଲା ପକ୍ଷୀର ସ୍ଥିତିରେ ପୁନଃ ମୂଲ୍ୟାୟନ କରିବାକୁ ପ୍ରେରଣା ଦେଇଛି। ୨୦୨୩ରେ ଉକ୍ତ ପକ୍ଷୀଙ୍କୁ ‘ସଙ୍କଟାପନ୍ନ ବିଲୁପ୍ତପ୍ରାୟ (କ୍ରିଟିକାଲ୍‌ ଏଣ୍ଡେନ୍‌ଜର୍ଡ) ବିବେଚନାରୁ ବିପଦ ନିକଟ (ନିୟର ଥ୍ରେଟେନ୍‌ଡ)କୁ ରୂପାନ୍ତରିତ କରିପାରିଛି। ପୂର୍ଣ୍ଣିମାଙ୍କ ଏହି ଅସାଧାରଣ କାର୍ଯ୍ୟ ଜାତୀୟ ଏବଂ ବିଶ୍ୱସ୍ତରୀୟ ସ୍ବୀକୃତି ହାସଲ କରିଛି, ଯେଉଁଥିପାଇଁ ଜଣେ ଅଗ୍ରଣୀ ସଂରକ୍ଷଣବାଦୀ ଭାବରେ ଟାଇମ୍ସର ୨୦୨୫ ବର୍ଷର ବିଶିଷ୍ଟ ସଂରକ୍ଷଣବାଦୀ ମହିଳା ତାଲିକାରେ ତାଙ୍କ ନାମ ସ୍ଥାନ ପାଇପାରିଛି।
ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ-୨୦୨୫ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଉଥିବା ପୂର୍ଣ୍ଣିମାଙ୍କ ପ୍ରେରଣାଦାୟକ କାହାଣୀ ନିଃସନ୍ଦେହରେ ଏହି କାର୍ଯ୍ୟକ୍ରମକୁ ଅଧିକ ରୁଦ୍ଧିମନ୍ତ କରିବା ସହ ଯୁବ ସମାଜକୁ ପରିବେଶ ସୁରକ୍ଷା ଏବଂ ବିଲୁପ୍ତପ୍ରାୟ ପକ୍ଷୀମାନଙ୍କ ସଂରକ୍ଷଣ କରିବା ଦିଗରେ ଏକ ନୂଆ ଦିଶା ଦେଖାଇବାରେ ସହାୟକ ହୋଇପାରିବ।