ଭୁବନେଶ୍ୱର,୨୩।୧୧: ଆରମ୍ଭ ହୋଇଯାଇଛି ଧରିତ୍ରୀ ୟୁଥ୍ କନକ୍ଲେଭ ୨୦୨୫। ଧରିତ୍ରୀ ଯୁବ ସମ୍ମିଳନୀର ପଞ୍ଚମ ସଂସ୍କରଣର ପ୍ରଥମ ଦିନ ଭୁବନେଶ୍ୱରର ପ୍ରେସ୍ କ୍ଲବରେ ଅନୁଷ୍ଠିତ ହୋଇଛି। ବର୍ତ୍ତମାନ କ୍ଲାଇମେଣ୍ଟ ଗ୍ରାଣ୍ଟର ଆବେଦନକାରୀମାନେ ରେଜିଷ୍ଟ୍ରେଶନ କରୁଛନ୍ତି।
ଏହି ଗ୍ରୀନ ହିରୋ ସମିଟ୍ ବିଶ୍ୱର ଯୁବ ଜଳବାୟୁ ପ୍ରବକ୍ତାମାନଙ୍କୁ ଏକତ୍ରିତ କରିବାର ଏକ ପ୍ରମୁଖ ମାଧ୍ୟମ ସାଜିଛି। ‘ଜଳବାୟୁ ପରିବର୍ତ୍ତନ: ଫାଇଣ୍ଡିଂ ସଲ୍ୟୁଶନ’ ବିଷୟବସ୍ତୁ ଆଧାରରେ ଆୟୋଜନ ହେବାକୁ ଥିବା ଏହି ସମ୍ମିଳନୀ ଯୁବପିଢ଼ିଙ୍କ ମଧ୍ୟରେ ଅଭିନବ ଚିନ୍ତାଧାରା ବାଣ୍ଟିବା, ଅର୍ଥପୂର୍ଣ୍ଣ ଆଲୋଚନାରେ ସାମିଲହେବା ସହ ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ କାର୍ଯ୍ୟକ୍ଷମ ସମାଧାନ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିବ। ବିଶ୍ୱ ପରିବେଶ ନୀତି ଏବଂ କାର୍ଯ୍ୟକୁ ସୁସଂଗଠନ ସହିତ ଭବିଷ୍ୟତ ପଦକ୍ଷେପ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସୃଷ୍ଟି କରିବ। ଧରିତ୍ରୀ ଯୁବ ସମ୍ମିଳନୀ ଜଳବାୟୁ ପରିବର୍ତ୍ତନ ପାଇଁ ସୃଜନଶୀଳ ଏବଂ ପ୍ରଭାବଶାଳୀ ସମାଧାନ ବିକାଶ କରିବାରେ ଯୁବପିଢ଼ିଙ୍କ ମଧ୍ୟରେ ସମ୍ଭାବନା ସୃଷ୍ଟି କରିବାରେ ସହାୟକ ହେବ। ଏହି କନକ୍ଲେଭରେ ବିଶେଷଜ୍ଞଙ୍କ ପ୍ୟାନେଲ ଆଲୋଚନା ସହିତ ପ୍ରମୁଖ ପରିବେଶବିତ ଏବଂ ସଂଗଠନ ସହ ନେଟୱର୍କିଂ ସୁଯୋଗ ପ୍ରଦାନ କରାଯିବ। ଅଂଶଗ୍ରହଣକାରୀମାନେ ପ୍ରସିଦ୍ଧ ବିଶେଷଜ୍ଞମାନଙ୍କଠାରୁ ଶିଖିବା, ଚିନ୍ତାଧାରା ଆଦାନପ୍ରଦାନ କରିବା ଆଦିର ସୁଯୋଗ ପାଇବେ। ଏଥି ସହ ସଂଧ୍ୟାରେ ପ୍ରସିଦ୍ଧ ସଙ୍ଗୀତଜ୍ଞଙ୍କ ଦ୍ୱାରା ପରିବେଶ ବିଷୟବସ୍ତୁ ଉପରେ ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମ ଆୟୋଜନ ହେବ।