କର୍ଲାମୁଣ୍ଡା,୨୩ା୬(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଧରାଖମନ ଗାଁର ମମତା ଭୋଇଙ୍କ ସ୍ବାମୀ ମାଡ୍ରାସ ଭୋଇ (୪୫) କୌଣସି ରୋଗରେ ଆକ୍ରାନ୍ତ ହୋଇ ଗତ ମାର୍ଚ୍ଚ ମାସରେ ମୃତ୍ୟୁବରଣ କରିଥିଲେ। ଏହାପରେ ମମତା ଦୁଇ ସନ୍ତାନ ଝିଅ ଡୋଲେଶ୍ୱରୀ ଭୋଇ (୧୮) ଓ ପୁଅ ଦେବ ଭୋଇ (୧୩)ଙ୍କୁ କିପରି ପାଠ ପଢେଇ ପେଟ ପୋଷିବେ ସେହି ଚିନ୍ତାରେ ଭାଙ୍ଗି ପଡ଼ିଥିଲେ। ଏ ନେଇ ଧରିତ୍ରୀରେ ମମତାଙ୍କ ମୁଣ୍ଡ ଉପରେ ଦୁଇ ସନ୍ତାନ ବୋଝ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଏହାପରେ ବ୍ଲକ ପ୍ରଶାସନ ତତ୍ପରତା ଦେଖାଇ ମମତାଙ୍କୁ ବିଧବା ଭତ୍ତା ପ୍ରଦାନ କରିଛି। ସୋମବାର କର୍ଲାମୁଣ୍ଡା ବିଡ଼ିଓ ଦେବେନ୍ଦ୍ର ସାମଲ, ଭାରପ୍ରାପ୍ତ ବ୍ଲକ ସାମାଜିକ ସମ୍ପ୍ରସାରଣ ଅଧିକାରୀ (ବିଏସ୍ଇଓ) ପ୍ରଦୀପ କୁମାର ମାଝୀ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ସ୍ବାଗତ କୁମାର ପାଣିଗ୍ରାହୀ, ଗଜବାହାଲ ପିଇଓ ସୁବାସ ସାହୁ ଧରାଖମନ ଗାଁରେ ପହଞ୍ଚି ମମତାଙ୍କୁ ବିଧବା ଭତ୍ତା ପ୍ରଦାନ କରିଛନ୍ତି।