ଖଜୁରିପଡ଼ା, ୧୯।୫ (ବିଦୁର ବେହେରା): କନ୍ଧମାଳ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ବଲସକୁମ୍ପା ପଞ୍ଚାୟତ ଅଧିନରେ ଥିବା ବଲସକୁମ୍ପା କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ବା ପୁରୁଣା ପାଣି ଜଳଭଣ୍ଡାର ପୁନରୁଦ୍ଧାର ଏବଂ ରକ୍ଷଣାବେକ୍ଷଣ ଅଭାବ ଯୋଗୁ ଦିନକୁ ଦିନ ଜଳଧାରଣ କ୍ଷମତା ହ୍ରାସ ପାଉଥିବାରୁ ଚାଷୀମାନେ ସରକାରଙ୍କୁ ଜଳକର ଦେଇ ଚାଷୀ ଜମିକୁ ପାଣି ନ ପାଇ ହତାଶ ହେଉଥିବା ଅଭିଯୋଗ ଆସିବା ପରେ ଏ ନେଇ ଦୈନିକ ଖବର କାଗଜ ଧରିତ୍ରୀ ରେ ‘ପୁରୁଣା ପାଣି ଜଳ ଭଣ୍ଡାର ପୁନରୁଦ୍ଧାର ହେଉନି,ହ୍ରାସ ପାଉଛି ଜଳ ଧାରଣ କ୍ଷମତା’ ବୋଲି ୧୫ ଜୁଲାଇ ୨୦୨୪ ରେ ଖବର ପ୍ରକାଶ ପାଇବା ପରେ ଜଳଭଣ୍ଡାର ପୁନରୁଦ୍ଧାର ପାଇଁ କ୍ଷୁଦ୍ର ଜଳ ସେଚନ ବିଭାଗ ଫୁଲବାଣୀ ପକ୍ଷରୁ ତତ୍ପର ହୋଇ ପ୍ରକଳ୍ପ ପୁନରୁଦ୍ଧାର ପାଇଁ ଆର୍ଥିକ ବର୍ଷ ୨୦୨୫-୨୬ ରେ ଅନୁଦାନ ୧ କୋଟି ୧୪ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି।
ଉକ୍ତ ଟଙ୍କାରେ ସରପ୍ଲସ ମରାମତି, ହେଡ ରେଗୁଲେଟର ମରାମତି,ସାଇଫାନ ମରାମତି, ଡ୍ୟାମ ଠାରୁ ୩୬୦ ମି ତଳେ ଫଲ ତିଆରି କରାଯିବା ସହିତ କେନାଲରୁ ଓ ଜଳ ଭଣ୍ଡାରରୁ ମାଟି କଢାଯିବ। ତେଣୁ କାମ ଶୀଘ୍ର ସାରିବା ପାଇଁ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଯନ୍ତ୍ରୀ ହିତେଶ ପାଢ଼ୀ କହିଛନ୍ତି।
ପ୍ରକାଶ ଯେ,ବଲସକୁମ୍ପା ପଞ୍ଚାୟତରେ ଖରିଫ ଏବଂ ରବି ଋତୁରେ ଚାଷୀମାନେ ଯେପରି ସୁବିଧାରେ ପାଣି ପାଇ ଚାଷ କରିବେ ସେ ନେଇ କ୍ଷୁଦ୍ର ଜଳସେଚନ ବିଭାଗ ଫୁଲବାଣୀ ତରଫରୁ ବଲସକୁମ୍ପା ପଞ୍ଚାୟତର ପୁରୁଣା ପାଣି ନାଳଠାରେ ୧୯୭୩ ମସିହାରେ ଜଳଭଣ୍ଡାର ନିର୍ମାଣ କରାଯାଇଥିଲା। ଏହି ଜଳଭଣ୍ଡାରରେ ୫୩୬.୭୩ ମିଲି ଲିଟର ପାଣି ରହିବା କ୍ଷମତା ରହିଛି I ବାମ ଓ ଡାହାଣ ଦୁଇଟି କେନାଲ ଅଛି। ଖରିପ୍ରେ ୪୯୭
ହେକ୍ଟର ଏବଂ ରବିରେ ୧୮୨ ହେକ୍ଟର ଚାଷଜମିକୁ ୨ କେନାଲ ଦ୍ବାରା ପାଣି ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ଡାହାଣ କେନାଲ ଦ୍ବାରା ଭଞ୍ଜରମୁଣ୍ଡା, ଅରାସାହି, ଖଲିଗୁଡ୍ରି ଗ୍ରାମର ଚାଷଜମିକୁ ଓ ବାମ କେନାଲ ଦ୍ବାରା ପୁରୁଣାପାଣି, ଗାରଡ଼ାପକ୍ଷୀ, ବଲସକୁମ୍ପା, ସୁନ୍ଦରଗଡ଼ ଗ୍ରାମର ଚାଷଜମିକୁ ପାଣି ଯୋଗାଇ ଦିଆଯାଏ। କିନ୍ତୁ ଜଳଭଣ୍ଡାର ନିର୍ମାଣ ହେବାର ଦୀର୍ଘ ୫୨ ବର୍ଷ ବିତିଯାଇଥିଲେ ସୁଦ୍ଧା ପୁନରୁଦ୍ଧାର କାର୍ଯ୍ୟ ନ ହେଉ ଥିବା ଯୋଗୁ ଜଳ ଧାରଣ କ୍ଷମତା ଏବେ ଦିନକୁ ଦିନ ହ୍ରାସ ପାଉଛି। ଯାହାଫଳରେ ଖରିଫରେ ୨୫୯.୭୫ ହେକ୍ଟର ଏବଂ ରବିରେ ମାତ୍ର ୩୦ ହେକ୍ଟର ଚାଷଜମିକୁ ପାଣି ଯୋଗାଯାଉଛି ବୋଲି ତଥ୍ୟ ମିଳିଛି। ଅନ୍ୟପଟେ ଡ୍ୟାମ ପୁନରୁଦ୍ଧାର ହେଉଥିବା କାମ ଦେଖି ଚାଷୀମାନେ ଖୁସିବ୍ୟକ୍ତ କରିବା ସହିତ ଧରିତ୍ରୀ ଗଣମାଧ୍ୟମକୁ କୃତଜ୍ଞତା ଜଣାଇଛନ୍ତି।