କେସିଙ୍ଗା,୫।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ବାଲସି ପଞ୍ଚାୟତର କୋକୋଡ଼ମାଲ ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତରୁ ବର୍ଷା ପାଣି ଗଳୁଥିବାରୁ ଛାତ୍ରୀଛାତ୍ର ଗୁରୁବାର ସ୍କୁଲ ବାରଣ୍ଡାରେ ବସି ପାଠପଢ଼ୁଥିବା ଖବର ଧରିତ୍ରୀ ଖବରକାଗଜରେ ପ୍ରକାଶ ପାଇଥିଲା।
ଗତ ଶୁକ୍ରବାର ଗୋଷ୍ଠୀ ଶିକ୍ଷା ଅଧିକାରୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ସିଆରସିଙ୍କ ସମେତ ଜେଇ ଉକ୍ତ ସ୍କୁଲକୁ ପରିଦର୍ଶନରେ ଆସିଥିଲେ। ଶ୍ରେଣୀ ଗୃହରେ ପାଣି ଗଳୁଥିବାରୁ ବାରୁଣ୍ଡାରେ ଛାତ୍ରୀଛାତ୍ରମାନେ ପାଠପଢା ଦେଖି ତୁରନ୍ତ ସ୍କୁଲ ଗୃହ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବର୍ତ୍ତମାନ ଛାତ୍ରୀଛାତ୍ରମାନଙ୍କୁ ଶୀଘ୍ର ଅନ୍ୟ ଜାଗାକୁ ସ୍ଥାନାନ୍ତର କରାଯିବ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରା ପ୍ରକାଶ କରିଥିଲେ। ଲଘୁଚାପ ଜନିତ ବର୍ଷାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଗୃହ, ରୋଷେଇ ଘର, କାର୍ଯ୍ୟାଳୟଓ ଗୋଦାମରେ ପାଣି ଗଳୁଛି। ସ୍କୁଲ ଛାତରୁ ସିମେଣ୍ଟ ଖଣ୍ଡ ଖସୁଛି। ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ପିଲାଙ୍କୁ ସ୍କୁଲ ବାରଣ୍ଡାରେ ବସାଇ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି।
ଏ ନେଇ କେସିଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜନ୍ମେଜୟ ସ୍ବାଇଁଙ୍କୁ ପଚାରିବାରୁ ବିଇଓଙ୍କ ସହିତ ବ୍ଲକର ଜେଇଙ୍କୁ ପଠାଇଥିଲି, ନୂଆ କୋଠା ନିର୍ମାଣ କରିବାର ଆବଶ୍ୟକତା ରହିଛି ତାହାର ବ୍ୟବସ୍ଥା କରୁଛି ବୋଲି ପ୍ରକାଶ କରିଥିଲେ ।