ରାୟଗଡ଼ା,୯।୨(ଆଶିଷ ରଞ୍ଜନ ପଣ୍ଡା):ସଡ଼କ ଦୁର୍ଘଟଣାରେ ଧରିତ୍ରୀ ରାୟଗଡ଼ା ସଂସ୍କରଣର ପ୍ରିଣ୍ଟ ଷ୍ଟେଶନରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ରବିବାର ସନ୍ଧ୍ୟାରେ ମୃତ୍ୟୁ ଘଟିଛି। ମୃତକ ହେଲେ ରାୟଗଡା ସଦର ବ୍ଲକ୍ ପିତାମହଲ ପଞ୍ଚାୟତ ଅନ୍ତର୍ଗତ ଦିଶାରୀଗୁଡା ଗ୍ରାମର ସୁନୀଲ ହିମିରିକା (୪୪)। ମୃତକଙ୍କ ପରିବାର ବର୍ଗ ଏବଂ ଗ୍ରାମବାସୀ କ୍ଷତିପୂରଣ ଦାବି କରି ରାସ୍ତାରୋକୋ କରିଛନ୍ତି। ରାୟଗଡ଼ା ଏସ୍ଡିପିଓ ଗୌରହରି ସାହୁ, ଶେଷଖାଲ ଥାନା ଅଧିକାରୀ କ୍ଷୀରୋଦ ବାଗ ଏବଂ ପୋଲିସ କର୍ମଚାରୀ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଛନ୍ତି। ଖବର ଲେଖା ହେବା ସୁଦ୍ଧା ଆନ୍ଦୋଳନ ଜାରି ରହିଥିବା ଜଣାପଡ଼ିଛି।
ସୂଚନା ମୁତାବକ ପିତାମହଲ – ସିରିକଣା ମୁଖ୍ୟ ବାଇପାସ୍ ରାସ୍ତାର ଦିଶାରୀଗୁଡା ଛକ ନିକଟରେ ସୁନୀଲ ଚାଲି କରି ରାସ୍ତା ଅତିକ୍ରମ କରୁଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍ ତାଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇଥିବା ବାଇକ୍ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି। ଘଟଣାସ୍ଥଳରେ ପିତାମହଲ ପଞ୍ଚାୟତ ସରପଞ୍ଚ ଟୁଟୁ ତାଡିଙ୍ଗି ପହଞ୍ଚି ଦୁର୍ଘଟଣା ଘଟାଇ ଥିବା ବାଇକ୍ ଚାଳକଙ୍କୁ ଧରିବା ପାଇଁ ପୋଲିସ ନିକଟରେ ଦାବି କରିଥିଲେ। ଏ ନେଇ ପୋଲିସ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ଅନ୍ୟ ମେଡିକାଲରେ ପଚରା ଉଚୁରା କରୁଛି। ଦୁର୍ଘଟଣାକାରୀଙ୍କୁ ଶୀଘ୍ର ଧରାଯିବ ବୋଲି ପୋଲିସ ପ୍ରତିଶ୍ରୁତି ଦେଇଛି। ରାୟଗଡା ତହସିଲଦାର ପ୍ରିୟଦର୍ଶିନୀ ସ୍ବାଇଁ ରେଡକ୍ରସ ପାଣ୍ଠିରୁ ୨୦ ହଜାର ସହାୟତା ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ସୁନୀଲଙ୍କ ମୃତ୍ୟୁ ଖବର ଶୁଣି ଧରିତ୍ରୀ ପରିବାର ପକ୍ଷରୁ ଶୋକ ପ୍ରକାଶ କରାଯାଇଛି।