ପାଖେଇ ଆସୁଛି ଧନୁଯାତ୍ରା: କଂସ କଳାକାର ଚୟନ ନିଷ୍ପତ୍ତି ଉପରେ ସଭିଙ୍କ ନଜର

ବରଗଡ଼,୧୨।୧୦(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଖେଇ ଆସୁଛି। ଆସନ୍ତା ଡ଼ିସେମ୍ବର ମାସ ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ହେବାକୁ ଥିବା ଏହି ମହୋତ୍ସବ ଯେତିକି ପାଖେଇ ଆସୁଛି, ଦର୍ଶକ ତଥା ସ୍ଥାନୀୟ ଲୋକଙ୍କ ମନରେ ସେତିକି ଉତ୍କଣ୍ଠା ବଢିବାରେ ଲାଗିଛି । ତେବେ ସୋମବାର ସନ୍ଧ୍ୟାରେ ବରଗଡ଼ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଧନୁଯାତ୍ରା ମହୋତ୍ସବ ସମିତିର କାର୍ଯ୍ୟକାରୀ ଏବଂ ଉପଦେଷ୍ଟା କମିଟିର ବୈଠକ ଥିବା ଯୋଗୁ ଏହି ବୈଠକ ଉପରେ ସଭିଙ୍କ ନଜର ରହିଛି। ଉକ୍ତ ବୈଠକରେ ଏଥର କଂସ ସମେତ ଅନ୍ୟ ପ୍ରମୁଖ କଳାକାରଙ୍କ ଚୟନ ପ୍ରକିୟା ନେଇ ଆଲୋଚନା ହେବା ସହିତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି। ଫଳରେ ଉକ୍ତ ବୈଠକ ଅନେକ ଗୁରୁତ୍ବ ବହନ କରୁଥିବାବେଳେ କଳାକାର ଚୟନ ପ୍ରତି ଏଥର କଳାକାରଙ୍କ କେଉଁ ଦିଗକୁ ଅଧିକ ଦୃଷ୍ଟି ଦିଆଯିବ, ତାକୁ ନେଇ ଚା ଖଟିଠାରୁ ଆରମ୍ଭ କରି ସବୁଠି ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି।

ସୂଚନା ଅନୁଯାୟୀ, ପ୍ରତି ୩ବର୍ଷରେ ବରଗଡ଼ ଧନୁଯାତ୍ରା ମହୋତ୍ସବର କଳାକାର ଚୟନ ବିଧି ରହିଛି । ତେବେ ସ୍ବାସ୍ଥ୍ୟ ବିଭାଗରେ ସରକାରୀ ଡ୍ରାଇଭରଭାବେ କାର୍ଯ୍ଯରତ ଥିବାବେଳେ ପୂର୍ବତନ କଂସ କଳାକାର ହୃଷୀକେଶ ଭୋଇଙ୍କ ବିରୋଧରେ ଶବ ବାହକ ଗାଡି (ମହାପ୍ରୟାଣ)ରେ ଶବ ପରିବହନ ବାବଦକୁ ଜଣେ ମୃତକଙ୍କଠାରୁ ଅର୍ଥ ଦାବି ଅଭିଯୋଗ ହେବା ସହିତ କଥାଟି ପୋଲିସକୁ ଯାଇଥିଲା ଏବଂ ତାଙ୍କ ବିରୋଧରେ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଥିଲା। ଏହା ସହିତ ସ୍ବାସ୍ଥ୍ୟ ବିଭାଗ ମଧ୍ୟ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏଭଳି ବିବାଦୀୟ ହୋଇ ପଡିଥିବା ଯୋଗୁଁ ଗତବର୍ଷ ଧନୁଯାତ୍ରାରେ ତାଙ୍କୁ କଂସ ଅଭିନୟର ସୁଯୋଗ ମିଳି ନ ଥିଲା। ବିଭିନ୍ନ ମହଲରେ ଦାବି ହେବା ପରେ ତାଙ୍କୁ କଂସ ଅଭିନୟରୁ ବାଦ୍ ଦେଇ ସେତେବେଳେ ସେଥର ପାଇଁ କେବଳ କଂସ କଳାକାର ଚୟନ ପ୍ରକିୟା ହୋଇଥିଲା। ଅନ୍ୟପଟେ ଇତିମଧ୍ୟରେ ଆଗକୁ ଆଉ ବରଗଡ଼ ଧନୁଯାତ୍ରା ମହୋତ୍ସବରେ କଂସ ଅଭିନୟ କରିବେ ନାହିଁ ବୋଲି ଗତ ଧନୁଯାତ୍ରା ମହୋତ୍ସବର କଂସ କଳାକାର ଭୁବନେଶ୍ୱର ପ୍ରଧାନ ଘୋଷଣା କରି ସାରିଛନ୍ତି। ସେହିପରି ବରଗଡ଼ ଧନୁଯାତ୍ରା ମହୋତ୍ସବର କଳାକାର ଚୟନକୁ ମଧ୍ୟ ୩ବର୍ଷ ପୂରି ଯାଇଛି। ଫଳରେ ସୋମବାର ହେବାକୁ ଥିବା ଧନୁଯାତ୍ରା ମହୋତ୍ସବ ସମିତିର ବୈଠକରେ କଳାକାର ଚୟନ ପ୍ରକିୟାକୁ ହିଁ ଅଧିକ ଗୁରୁତ୍ବ ଦିଆଯିବ ବୋଲି ସାଧାରଣରେ ଆଲୋଚିତ ହେଉଛି।

Share