ରାଜ୍ୟ ସଭା ଅଧ୍ୟକ୍ଷ ପଦରୁ ହଟିବେ ଧନଖର! ବିରୋଧୀ ନେଲେ ବଡ଼ ଆକ୍ସନ

ନୂଆଦିଲ୍ଲୀ,୯।୮: ସଂସଦର ମୌସୁମୀ ଅଧିବେଶନ ଚାଲିଥିବାବେଳେ ଶୁକ୍ରବାର ରାଜ୍ୟ ସଭାରେ ଗୃହ ଅଧ୍ୟକ୍ଷ ଓ ଜଣେ ମହିଳା ଏମପିଙ୍କ ମଧ୍ୟରେ କଥା କଟାକଟି ଉଗ୍ର ରୂପ ନେଇଛି। ସମାଜବାଦୀ ପାର୍ଟିର ସଦସ୍ୟ ଜୟା ବଚ୍ଚନ ଏବଂ ଅଧ୍ୟକ୍ଷ ଜଗଦୀପ ଧନଖରଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଛି। ଗୃହରେ ଅଧ୍ୟକ୍ଷ ଧନଖର ଯେତେବେଳେ ଜୟାଙ୍କୁ ଜୟା ଅମିତାଭ ବଚ୍ଚନ କହି ସମ୍ବୋଧନ କରିଥିଲେ ସେତେବେଳେ ଜୟା ସାଙ୍ଗେସାଙ୍ଗେ ରାଗି ଯାଇଥିଲେ। ଯାହାକୁ ନେଇ ସେ କହିଛନ୍ତି, ମୁଁ ଜଣେ କଳାକାର ଏବଂ ସବୁ ଇସାରାକୁ ବହୁତ ଭଲ ଭାବରେ ବୁଝି ପାରୁଛି। ଧନଖରଙ୍କୁ ଜୟା ଆହୁରି କହିଛନ୍ତି , ମୋତେ କ୍ଷମା କରିବେ କିନ୍ତୁ ଆପଣଙ୍କର ଏପରି ବ୍ୟବହାର ମୋ ପାଇଁ ଆଦୌ ଗ୍ରହଣୀୟ ନୁହେଁ। କହିରଖୁଛୁ କି, ଅଧ୍ୟକ୍ଷ ଜୟା ବଚ୍ଚନଙ୍କୁ ଜୟା ଅମିତାଭ ବଚ୍ଚନ ବୋଲି ସମ୍ବୋଧିତ କରିଥିଲେ, ଯେଉଁଥିରେ ରାଜ୍ୟ ସଭା ଏମପି ଜୟା ଅନେକ ଥର ଆପତ୍ତି ଜଣାଇଥିଲେ।

ଗୃହରେ ଏପରି ଯୁକ୍ତିତର୍କକୁ ନେଇ ବିରୋଧୀମାନେ ସ୍ଲୋଗାନ ଦେବା ସହ କକ୍ଷତ୍ୟାଗ କରିଥିଲେ। ଏଥିସହ ବିରୋଧୀ ଦଳ ସଭାପତି ଧନକରର ଆଚରଣ ଅଶ୍ଳୀଳ ବୋଲି କହି ରାଜ୍ୟ ସଭାରେ ଏକ ନିନ୍ଦା ପ୍ରସ୍ତାବ ମଧ୍ୟ ପାରିତ କରିଛି। ଏହା ପରେ ରାଜ୍ୟ ସଭାର ପ୍ରକ୍ରିୟା ଅର୍ନିଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ବର୍ତ୍ତମାନ ବିରୋଧୀଦଳ ମଧ୍ୟ ଧାରା ୬୭ ଅନୁଯାୟୀ ଚେୟାରମ୍ୟାନ ଜଗଦୀପ ଧନଖରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ପ୍ରସ୍ତାବ ଅନୁଯାୟୀ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ପଦରୁ ହଟାଇ ଦିଆଯାଇପାରିବ।

ତେବେ ଶୁକ୍ରବାର ସଂସଦରେ ହୋଇଥିବା ଯୁକ୍ତିତର୍କକୁ ନେଇ କଂଗ୍ରେସ ଏମପି ଜୟରାମ ରମେଶ କହିଛନ୍ତି ଯେ କିଛି ଆପତ୍ତିଜନକ କଥା କୁହାଯାଇଛି, ଯାହା ଉପରେ ଏକ ନିଷ୍ପତ୍ତି ନିଆଯିବ ବୋଲି ଆଲୋଚନା ହେଉଛି।