ଧନକର: ଇସ୍ତଫା ନା ବିଦା

ନୂଆଦିଲ୍ଲୀ,୨୨ା୭: ବରିଷ୍ଠ ନେତାମାନଙ୍କ ସ୍ବାଭାବିକ ଅବସର ବୟସ ୭୫ ବର୍ଷ ହେବା ଉଚିତ ବୋଲି ଜୁଲାଇ ୯ରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ କହିଥିଲେ। ମହାରାଷ୍ଟ୍ରର ନାଗପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତକରି ସେ ଦେଇଥିବା ଏହି ମନ୍ତବ୍ୟକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ୨୦୨୫ ସେପ୍ଟେମ୍ବରରେ ଭାଗବତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୭୫ ବର୍ଷ ପୂରିବାକୁ ଯାଉଛି। ମୋଦି ୨ ମାସ ମଧ୍ୟରେ ୭୫ ବର୍ଷରେ ପଦାର୍ପଣ କରିବାକୁ ଥିବାରୁ ଭାଗବତ ତାଙ୍କ ଉଦ୍ଦେଶ୍ୟରେ ଏହି ପରାମର୍ଶ ଦେଇଥିବା କଂଗ୍ରେସ ଓ ଶିବସେନା ୟୁବିଟି ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ଅନୁମାନ ଲଗାଇଲେ। ସେହି ୯ ତାରିଖ ରାତିରେ ଅହମଦାବାଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ମଧ୍ୟ ନିଜ ଅବସର ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ। ଶାହା କହିଥିଲେ, ରାଜନୀତିରୁ ସନ୍ନ୍ୟାସ ନେବା ପରେ ସେ ଗୁଜରାଟ ଯାଇ ନିଜ ସମ୍ପୂର୍ଣ୍ଣ ଜୀବନ ବେଦ, ଉପନିଷଦ ଓ ନାଚୁରାଲ ଫାର୍ମିଂ (ପ୍ରାକୃତିକ ଉପାୟରେ କୃଷି) କ୍ଷେତ୍ରରେ ଉତ୍ସର୍ଗ କରିଦେବେ। ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରି କୃଷିରୁ ଉତ୍ପାଦନ ବୃଦ୍ଧି ଓ ରୋଗମୁକ୍ତ ଜୀବନ ଭଳି ଅନେକ ଲାଭ ମିଳିଥାଏ। ଏହାର ଦିନକ ପରେ ଅର୍ଥାତ୍‌ ଜୁଲାଇ ୧୦ରେ ଉପରାଷ୍ଟ୍ରପତି ଜଗଦୀପ ଧନକର ନୂଆଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, ସବୁକିଛି ଠିକ୍‌ଠାକ୍‌ ଚାଲିଲେ ସେ ନିଜ ସାମ୍ବିଧାନିକ ଦାୟିତ୍ୱ ତୁଲାଇସାରିବା ପରେ ୨୦୨୭ ଅଗଷ୍ଟ ୧୦ରେ ଅବସର ନେବେ। ନିଜକୁ ଜଣେ ‘କୃଷକ ପୁତ୍ର’ ଭାବେ ଅଭିହିତ କରି ଅନେକ ସମୟରେ ଚାଷୀମାନଙ୍କ ସଶକ୍ତୀକରଣକୁ ଗୁରୁତ୍ୱ ଦେଇଆସିଥିବା ଧନକର ଏଭଳି ମନ୍ତବ୍ୟ ଦେବା ପରେ ସେ ମଧ୍ୟ ପରବର୍ତ୍ତୀ ଜୀବନକାଳରେ ଚାଷକାର୍ଯ୍ୟରେ ମନୋନିବେଶ କରିପାରନ୍ତି ବୋଲି ଅନେକେ ଧରିନେଇଥିଲେ। ତେବେ ସଂସଦ ମୌସୁମୀ ଅଧିବେଶନର ପ୍ରଥମ ଦିନ ସୋମବାର ଧନକର ରାଜ୍ୟ ସଭାକୁ ଯାଇ ସଭାକାର୍ଯ୍ୟ ତୁଲାଇଥିଲେ। ରାଜ୍ୟ ସଭା ଅଧ୍ୟକ୍ଷ ଧନକର ଉଚ୍ଚ ସଦନରେ ଦିନସାରା ରହିବା ଭିତରେ ଅବସର ସମ୍ପର୍କରେ ଘୋଷଣା କରିପାରି ଥାଆନ୍ତେ। କିନ୍ତୁ ଦୀର୍ଘ ସମୟ କାର୍ଯ୍ୟ ତୁଲାଇବା ପରେ ମଧ୍ୟ ସେ ସେପରି କରି ନ ଥିଲେ। ପାର୍ଲାମେଣ୍ଟରୁ ନିଜ ସରକାରୀ ବାସଭବନକୁ ଯିବା ପରେ ରାତିରେ ହଠାତ୍‌ ନିଜ ‘X’ ହ୍ୟାଣ୍ଡଲରେ ସେ ଉପରାଷ୍ଟ୍ରପତି ପଦରୁ ତତ୍କାଳ ଇସ୍ତଫା ଦେଇଥିବା ଘୋଷଣା କଲେ। ଏଥିସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇଥିବା ଇସ୍ତଫାପତ୍ରକୁ ସୋସିଆଲ ମିଡିଆରେ ଶେୟାର କଲେ। ଅର୍ଥାତ୍‌ ଧନକର ସୋମବାର ରାତିରେ ହିଁ ଇସ୍ତଫା ଦେବେ ବୋଲି ଦିନବେଳା ତାଙ୍କ ମନରେ ନ ଥିଲା କିମ୍ବା ଏ ସମ୍ପର୍କରେ ସେ ଆଦୌ ଅବଗତ ନ ଥିଲେ। ଘରକୁ ଯିବା ପରେ କୌଣସି ଆଡ଼ୁ ତାଙ୍କ ଉପରେ ପଦ ଛାଡ଼ିବାକୁ ଚାପ ପଡ଼ିଥାଇପାରେ ବୋଲି ଦିଲ୍ଲୀ ମହଲରେ କୌତୂହଳର ସହ ଚିନ୍ତା କରାଯାଉଛି। ଏହା ପୂର୍ବରୁ ଭାଜପା ଲାଲକୃଷ୍ଣ ଆଡ୍‌ଭାନୀ ଓ ମୁରଲୀ ମନୋହର ଜୋଷୀଙ୍କ ଭଳି ବରିଷ୍ଠ ନେତାଙ୍କୁ ୭୫ ବର୍ଷ ବୟସରେ ଅଣାନୁଷ୍ଠାନିକ ଭାବେ ଅବସର ଦେଇଥିଲା। ନରେନ୍ଦ୍ର ମୋଦି ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରେ ଏହି ବରିଷ୍ଠ ନେତାମାନଙ୍କୁ ମାର୍ଗଦର୍ଶକ ମଣ୍ଡଳକୁ ହଟାଇ ଦିଆଯାଇଥିଲା। ତେଣୁ ଭାଗବତ ଓ ଶାହାଙ୍କ ମନ୍ତବ୍ୟ ପରେ ୭୪ ବର୍ଷୀୟ ଧନକରଙ୍କୁ ବିଦା କରାଯାଇଥାଇପାରେ ଏବଂ ହଠାତ୍‌ କୌଣସି ଆଡ଼ୁ ଚାପର ବଶବର୍ତ୍ତୀ ହୋଇ ପଦତ୍ୟାଗ କରିବାକୁ ବାଧ୍ୟ ହୋଇଥାଇପାରନ୍ତି ବୋଲି ରାଜନୈତିକ ବିଶ୍ଳେଷକମାନେ ଅନୁମାନ କଲେଣି।
୧୯୫୧ ମେ’ ୧୮ରେ ରାଜସ୍ଥାନର ଝୁନ୍‌ଝୁନ୍‌ଓ୍ବାଲା ଜିଲା କିଥାନା ଗ୍ରାମର ଏକ ଜାଟ୍‌ ପରିବାରରେ ଜନ୍ମିତ ଧନକର ପେସାରେ ଜଣେ ଆଇନଜୀବୀ। ଜନତା ଦଳରୁ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ। ୧୯୮୯ରୁ ୧୯୯୧ ପର୍ଯ୍ୟନ୍ତ ଝୁନ୍‌ଝୁନ୍‌ଓ୍ବାଲା ସଂସଦୀୟ ଆସନରୁ ସେ ଲୋକ ସଭାରେ ପ୍ରତିନିଧିତ୍ୱ କରିଥିଲେ। ଧନକର ୧୯୯୧ରେ କଂଗ୍ରେସ ଓ ୨୦୦୩ରେ ଭାଜପାରେ ଯୋଗଦେଇଥିଲେ। ୨୦୧୯ ଜୁଲାଇ ୨୦ରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଶ୍ଚିମବଙ୍ଗ ରାଜ୍ୟପାଳ ରୂପେ ନିଯୁକ୍ତ କରିଥିଲେ। ରାଜ୍ୟପାଳ ହେବା ପରେ ଧନକର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଅନେକ ପ୍ରସଙ୍ଗରେ ମୁହଁାମୁହିଁ ହୋଇ ବିବାଦୀୟ ହୋଇଥିଲେ। ସେତେବେଳେ ତାଙ୍କ ଆଚରଣ ଏପରି ଥିଲା ଯେ, ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଧନକରଙ୍କୁ ‘ବାସ୍ତବ ବିରୋଧୀ ଦଳ ନେତା’ର ଆଖ୍ୟା ଦେଇଥିଲା। ୨୦୨୨ ଜୁଲାଇ ୧୬ରେ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ଧନକରଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିଥିଲା। ନିର୍ବାଚନରେ ବିଜୟୀ ହୋଇ ଅଗଷ୍ଟ ୧୧ରେ ଉପରାଷ୍ଟ୍ରପତି ହୋଇଥିବା ଏହି ବର୍ଷିୟାନ ନେତା ଇତିମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ମତାମତ ରଖି ବିବାଦୀୟ ହୋଇଥିଲେ। ନ୍ୟାୟିକ ନିଯୁକ୍ତିକୁ ମୋଦି ସରକାର ନିଜ ନିୟନ୍ତ୍ରଣରେ ରଖିବାକୁ ଉଦ୍ୟମ କରୁଥିବା ଦର୍ଶାଇ ସୁପ୍ରିମକୋର୍ଟ ଏଥିରେ ରୋକ ଲଗାଇଥିଲେ। ସେହିପରି ତାମିଲନାଡୁ ରାଜ୍ୟପାଳ ଆର୍‌.ଏନ୍‌. ରବି ନିର୍ବାଚିତ ସରକାରଙ୍କ ଦ୍ୱାରା ବିଧାନସଭାରେ ପାରିତ ୧୨ ବିଲ୍‌ ଅଟକାଇବା ଏବଂ ରାଷ୍ଟ୍ରପତି ସେଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ମୋହର ନ ଦେବା ଆଦି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପକୁ ମଧ୍ୟ ଧନକର ସମାଲୋଚନା କରି ଅଦାଲତଙ୍କୁ ନିଜ ନ୍ୟାୟିକ ପରିସୀମା ଦେଖାଇବାକୁ ଉଦ୍ୟମ କରିଥିଲେ। ଧନକର ୨୦୨୭ ଅଗଷ୍ଟ ୧୦ରେ ଅବସର ନେଇଥାଆନ୍ତେ। କିନ୍ତୁ ଅବସରକୁ ୨ ବର୍ଷରୁ ଅଧିକ ସମୟ ବାକି ଥିବାବେଳେ ଧନକର ଇସ୍ତଫା ଦେଇ ରାଜନୈତିକ ମହଲରେ ଅନେକ କଳ୍ପନାଜଳ୍ପନାକୁ ଜନ୍ମ ଦେଇଛନ୍ତି।