କାକଟପୁର, ଅସ୍ତରଙ୍ଗରେ ଖୋଲିନାହିଁ ଧାନମଣ୍ଡି, ଚିନ୍ତାରେ ଚାଷୀ

କାକଟପୁର/ଅସ୍ତରଙ୍ଗ, ୨୦ା୧(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ): ପୁରୀ ଜିଲା ଅସ୍ତରଙ୍ଗ ଏବଂ କାକଟପୁର ବ୍ଲକ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ଧାନମଣ୍ଡି ଖୋଲିନାହିଁ। ଜାନୁଆରୀ ୧୫ରୁ ୧୭ତାରିଖ ମଧ୍ୟରେ ମଣ୍ଡି ଖୋଲାଯିବାକୁ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଥିଲା। ଫଳରେ ଚାଷୀମାନେ ଉତ୍ସାହିତ ହୋଇପଡ଼ିଥିଲେ।

ତେବେ ଅଦ୍ୟାବଧି ସ୍ୱଳ୍ପସଂଖ୍ୟକ ଚାଷୀ ଟୋକନ ମେସେଜ ପାଇଛନ୍ତି। କାକଟପୁର ବ୍ଲକର ୧୫ଟି ସେବା ସମବାୟ ସମିତିରେ ୨୦୨୪-୨୫ରେ ୩୨୧୮ଜଣ ଚାଷୀ ପଞ୍ଜୀକରଣ କରିଥିବାବେଳେ ଚଳିତ ବର୍ଷ ୩୭୬୪ ଜଣ ପଞ୍ଜୀକରଣ କରିଛନ୍ତି।

ସେହିପରି ଅସ୍ତରଙ୍ଗ ବ୍ଲକର ୧୦ଟି ସେବା ସମବାୟ ସମିତିରେ ୨୦୨୪-୨୫ରେ ୨୭୧୩ ଜଣ ଚାଷୀ ପଞ୍ଜୀକରଣ କରିଥିବାବେଳେ ଚଳିତ ବର୍ଷ ୩୨୫୪ଜଣ ପଞ୍ଜୀକରଣ କରିଛନ୍ତି।

ଗତବର୍ଷ ତୁଳନାରେ ଚଳିତବର୍ଷ ଶତ ପ୍ରତିଶତ ଧାନ ଉଠାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଉଛି। ତେବେ ଯେଉଁ ଚାଷୀଙ୍କ ପାଖକୁ ଟୋକନ ଆସିଛି, ତା’ର ସମୟସୀମା ଏକ ମାସ ରହିଥିବା ବେଳେ ଇତିମଧ୍ୟରେ କିଛି ଦିନ ଅତିକ୍ରମ କରିଗଲାଣି।

ମଣ୍ଡି ଖୋଲିବାରେ ବିଳମ୍ୱ ହେଲେ ଟୋକନ ସମୟ ସୀମା ଅତିକ୍ରାନ୍ତ ହୋଇଯିବ। ତେଣୁ ଚାଷୀ ଚିନ୍ତାରେ ରହୁଛନ୍ତି। ସରକାରଙ୍କୁ ଧାନ ବିକି ଚାଷୀମାନେ ସାହୁକାର, ବ୍ୟାଙ୍କ, ସେବା ସମବାୟ ସମିତିରୁ ଆଣିଥିବା ଋଣ ଶୁଝିବା ପାଇଁ ମନସ୍ଥ କରିଥିଲେ। ହେଲେ ଏପର୍ଯ୍ୟନ୍ତ ମଣ୍ଡି ଖୋଲିନାହିଁ। ତେଣୁ ସେମାନେ ଶାଗ ମାଛ ଦରରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।

କେତେଜଣ ଅସାଧୁ ବ୍ୟବସାୟୀ ଏହାର ଫାଇଦା ଉଠାଉଛନ୍ତି। ଚାଷୀଙ୍କଠାରୁ ବାହାର ବ୍ୟବସାୟୀ କୁଇଣ୍ଟାଲ ପିଛା ୧୭ଶହ ଓ ୧୯ଶହ ଟଙ୍କାରେ ଧାନ କିଣିନେଉଛନ୍ତି। ଅନ୍ୟପକ୍ଷରେ ଖୁବଶୀଘ୍ର ମଣ୍ଡି ଖୋଲିବ ବୋଲି ଜିଲା ସମବାୟ ସମିତିର ସହକାରୀ ପଞ୍ଜୀକରଣ ଅଧିକାରୀ ସରୋଜିନୀ ଜେନା କହିଛନ୍ତି।