ପୁରୁଷୋତ୍ତମପୁର,୮।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରୁ ଏଣିକି ଭକ୍ତମାନେ ଆଉ ଭୋକିଲା ହୋଇ ଫେରିବେନି। ଏଥିନେଇ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବଡ ପଦକ୍ଷେପକୁ ସୋମବାର ଜିଲା ପ୍ରସାଶନ ପକ୍ଷରୁ କାର୍ଯ୍ୟକାରୀ କରାଯାଇ ଆରମ୍ଭ ହୋଇଛି। ପ୍ରସାଦ ଯୋଗାଣର ବ୍ୟବସ୍ଥା ଗଞ୍ଜାମ ଜିଲାପାଳ ଭି ର୍କିତ୍ତିଭାସନ ଶୁଭାରମ୍ଭ କରିଛନ୍ତି ଏବଂ ନିଜେ ଭକ୍ତଙ୍କୁ ପ୍ରସାଦ ପରସିଛନ୍ତି।
ଭକ୍ତମାନେ ଆନନ୍ଦର ସହକାରେ ଭୋଜନଶାଳାରେ ବସି ପ୍ରସାଦ ସେବନ କରିଥିବାବେଳେ ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଉସାହ ଦେଖାଦେଇଛି। ମା’ଙ୍କ ପ୍ରସାଦ ପାଇ ନିଜକୁ ଧନ୍ୟ ମଣିଛନ୍ତି ଭକ୍ତ ଓ ପର୍ଯ୍ୟଟକ। ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଉପଜିଲାପାଳ ଡଃ ଶିବାଶିଷ ବରାଳ, ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରା, ବିଡିଓ ଶରତକୁମାର ପାତ୍ର,ଥାନା ଆଇଆଇସି ରାଜେଶକୁମାର ନାୟକ, ଏନଏସି ନିର୍ବାହୀ ଅଧିକାରୀ ଗୋବିନ୍ଦ ଡନସେନା, ମନ୍ଦିର ନିର୍ବାହୀ ଅଧିକାରୀ ଟିକେ ରେଡି, ମନ୍ଦିର ଉନ୍ନୟନ କମିଟିର ସଂପାଦକ ପ୍ରମୋଦ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ।
ଏଠାରେ ସରକାରଙ୍କ ପକ୍ଷରୁ ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ପ୍ରତିଷ୍ଠା କରାଯାଇଥିବା ଅତ୍ୟାଧୁନିକ ଶୈଳୀର ସ୍ବୟଂଚାଳିତ ରନ୍ଧନ ମେଶିନ ମାଧ୍ୟମରେ ଖାଦ୍ୟ ପ୍ରସ୍ତୁତ କରାଯାଇଛି। ଏହି ମେଶିନରେ ୩୦ ମିନିଟ୍ରେ ୩ ହଜାର ଲୋକଙ୍କ ଲାଗି ରୋଷେଇ ହୋଇପାରିବାର ବ୍ୟବସ୍ଥା ରହିଛି । ମନ୍ଦିରକୁ ଦୈନିକ ଆସୁଥିବା ଭକ୍ତଙ୍କ ଭିଡର ଆବଶ୍ୟକତାକୁ ଦେଖି ପ୍ରସାଦର ବ୍ୟବସ୍ଥା କରାଯିବ। ଏହାସହ କୌଣସି ବ୍ୟକ୍ତି ଆଗୁଆ ଅର୍ଡର କଲେ ପ୍ରସାଦ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଥିବାର ଜିଲାପାଳ କହିଛନ୍ତି। ବର୍ତ୍ତମାନ ଏହି ପ୍ରସାଦର ଦରଧାର୍ଯ୍ୟ ହୋଇ ନ ଥିବାବେଳେ ଆଗାମୀ ଦିନରେ ଏହା କରାଯିବ। ପୂର୍ବରୁ ଜିଲା ଓ ରାଜ୍ୟ ବାହାରୁ ମା’ଙ୍କ ଦର୍ଶନ ଲାଗି ଆସୁଥିବା ଶହ ଶହ ଭକ୍ତ ଭୋକିଲା ହୋଇ ଫେରୁଥିବାବେଳେ ଏଣିକି ଆଉ ଭୋକିଲା ହୋଇ ଫେରିବେନି। ମା’ଙ୍କ ପ୍ରସାଦ ପାଇବାର ସୌଭାଗ୍ୟ ପାଇପାରିବେ।