ପୁରୁଷୋତ୍ତମପୁର,୨୫।୭(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରୁ ଏଣିକି ଭକ୍ତମାନଙ୍କୁ ଆଉ ଭୋକିଲା ହୋଇ ଫେରିବାକୁ ପଡିବନି। ଏଥିନେଇ ସରକାରଙ୍କ ପକ୍ଷରୁ ନିଆଯାଇଛି ବଡ ପଦକ୍ଷେପ। କିପରି ଭକ୍ତମାନେ ସ୍ବଳ୍ପ ମୂଲ୍ୟରେ ଉତ୍ତମମାନର ରନ୍ଧା ଖାଦ୍ୟ ପାଇପାରିବେ, ସେନେଇ ଜିଲା ପ୍ରଶାସନ ପକ୍ଷରୁ ଜୋରସୋରରେ ଉଦ୍ୟମ ଆରମ୍ଭ ହୋଇଛି।
ଶୁକ୍ରବାର ତାରାତାରିଣୀଙ୍କ ପୀଠରେ ଛତ୍ରପୁର ଉପଜିଲାପାଳ ଡଃ ଶିବାଶିଷ ବରାଳଙ୍କ ଅଧ୍ୟକ୍ଷତାରେ ଏକ ସ୍ବତନ୍ତ ବୈଠକ ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରା, ବିଡିଓ ଶରତକୁମାର ପାତ୍ର,ଥାନା ଆଇଆଇସି ରାଜେଶକୁମାର ନାୟକ, ଏନଏସି ନିର୍ବାହୀ ଅଧିକାରୀ ଗୋବିନ୍ଦ ଡନସେନା, ମନ୍ଦିର ନିର୍ବାହୀ ଅଧିକାରୀ ଟିକେ ରେଡି, ପୂର୍ତ୍ତ ବିଭାଗୀୟ ସହକାରୀଯନ୍ତ୍ରୀ ସୁରେଶ ମିଶ୍ର, ମନ୍ଦିର ଉନ୍ନୟନ କମିଟିର ସଂପାଦକ ପ୍ରମୋଦ କୁମାର ପଣ୍ଡାଙ୍କ ସମେତ ସମସ୍ତ ଲାଇନ ଡିପାର୍ଟମେଣ୍ଟ ଓ ସେବାୟତମାନଙ୍କୁ ନେଇ ବୈଠକ ଅନୁଷ୍ଟିତ ହୋଇଥିଲା।
ଏଠାରେ ସରକାରଙ୍କ ପକ୍ଷରୁ ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ପ୍ରତିଷ୍ଠା କରାଯାଇଥିବା ଅତ୍ୟାଧୁନିକ ଶୈଳୀର ସ୍ବୟଂଚାଳିତ ରନ୍ଧନ ମେଶିନ ମାଧ୍ୟମରେ ଖାଦ୍ୟ ପ୍ରସ୍ତୁତ ହେବ। ଏଥିରେ ୩୦ ମିନିଟ୍ରେ ୩ ହଜାର ଲୋକଙ୍କ ଲାଗି ରୋଷେଇ ହୋଇପାରିବ। ମନ୍ଦିରକୁ ଆସୁଥିବା ଭକ୍ତଙ୍କ ଲାଗି ଦୈନିକ ୧୫ ହଜାର ବ୍ୟକ୍ତିଙ୍କ ଲାଗି ରନ୍ଧା ଖାଦ୍ୟ ପ୍ରସାଦର ବ୍ୟବସ୍ଥା ରହିଥିବାବେଳେ ଭକ୍ତଙ୍କ ଭିଡ ଓ ଆବଶ୍ୟକତାକୁ ଦେଖି ରନ୍ଧାର ପରିମାଣ ବୃଦ୍ଧି କରାଯିବ। ଏହାସହ ଚୈତ୍ର ଯାତ୍ରା ସମୟରେ ଲକ୍ଷାଧିକ ଭକ୍ତ ଜମା ହେଉଥିବା ବେଳେ ସେଥିଲାଗି ମଧ୍ୟ ପ୍ରସାଦ ଯୋଗାଇଦେବାର ଲକ୍ଷ୍ୟ ରଖି ପଦକ୍ଷେପ ନିଆଯାଉଥିବାର ଉପଜିଲାପାଳ ଡଃ ଶିବାଶିଷ ବକାଳ କହିଛନ୍ତି। ଏହାସହ ଏହାର ଦାୟିତ୍ୱ ସେବାୟତମାନଙ୍କୁ ଦିଆଯିବ ଓ ଏହି କାର୍ଯ୍ୟକ୍ରମ ଏକ ସପ୍ତାହ ମଧ୍ୟରେ କାର୍ଯକାରୀ କରିବାକୁ ଯୋଜନା ରହିଥିବାର ସେ କହିଛନ୍ତି। ଏହି ଯୋଜନା ଦ୍ବାରା ଦୈନିକ ମା’ଙ୍କ ଦର୍ଶନ ଲାଗି ଆସୁଥିବା ହଜାର ହଜାର ଭକ୍ତ ପ୍ରସାଦ ପାଇବାର ସୌଭାଗ୍ୟ ପାଇପାରିବେ।